ଜାତୀୟ ସ୍ୱାର୍ଥ
ଜାତୀୟ ସ୍ୱାର୍ଥ
ଜାତିର ଉନ୍ନତି ସମ୍ଭବ କିପରି
ହିଂସାକାଣ୍ଡେ ଧ୍ୟାନ ଦେଲେ,
ଜାତିର ବିଭବ ସମ୍ଭବ ହୋଇବ
ହାତେ ହାତକୁ ଥୋଇଲେ ।
ଜାତି,ଧର୍ମ,ବର୍ଣ୍ଣ ଭାଷାକୁ ନେଇଣ
କେତେ ଆଉ ତୁ ଲଢ଼ିବୁ,
ମୃତ୍ୟୁ ଉପରାନ୍ତେ ମଶାଣି ଭୂଇଁରେ
ଦି' ମୁଠା ପାଉଁଶ ହେବୁ ।
ମାଟିର ମଣିଷ ମାଟିରେ ମିଶିବ
କିମ୍ପା କରୁ ରକ୍ତପାତ,
କ୍ଷଣିକ ଗର୍ବର ଅହଙ୍କାର ତୋର
ତରବାରି ଠୁ ଶାଣିତ ।
ହିଂସାକାଣ୍ଡ ତା'ର ଘନ ଅନ୍ଧକାରେ
ବାନ୍ଧିଛି ଦେଶ ଜାତିକୁ,
ରାଜନୀତି କାଳେ ମୁରୁକି ହସୁଛି
ଫୁଲାଇ ଗର୍ବେ ଛାତିକୁ ।
ଦରିଦ୍ର ଚେହେରା ମାନଚିତ୍ରେ ପରା
ଚିହ୍ନିତ ଆଜି ହେଉଛୁ,
ସ୍ୱାଭିମାନ ତୋର ଚୁଲିକୁ ଗଲାଣି
ଶ୍ରୀହରି ଭାନ୍ତି ଶୋଇଛୁ ।
ଚେଇଁ ଶୋଇଥିଲେ ନିଦ୍ରା ଆଢୁଆଳେ
ତାକୁ ଉଠେଇବ କିଏ,
ସବୁ ଜାଣିଶୁଣି ଅଭିନୟ କରି
ମିଛରେ ମିଛରେ ଶୁଏ ।
ସମୟ ସରିଲା ନିଦ୍ରା ପରିହରି
ଜାଗିଉଠ ଦେଶବାସୀ,
ଜାତିର ସ୍ୱାର୍ଥରେ ନିୟୋଜିତ ହୁଅ
ଛାଡ଼ିଣ ହିଂସାର ଅସୀ ।
ନିର୍ଝରିଣୀ ଝରେ ଝର ଝର ହୋଇ
ପାହାଡ଼ ପର୍ବତ ଡେଇଁ,
ବିନ୍ଦୁ ବିନ୍ଦୁ ତା'ର ବୋହି ଚାଲୁଥାଏ
ଏକତାର ବଳ ନେଇ ।
ବିଭିନ୍ନତା ଛାଡ଼ି ଜାତି ପ୍ରାଣ ଧାରେ
ବୋଳାଅ ତୁ ଥରେ ମନ,
ଜାତୀୟ ଐକ୍ୟତା ଜାତୀୟ ଐତିହ୍ୟେ
ନାଚିଉଠୁ ତୋର ପ୍ରାଣ ।
ମୁକ୍ତ କଣ୍ଠରେ ତୁ ଗାଇ ଗାଇ ବୁଲ
ଜାତୀୟ ପ୍ରାଣର ଗାଥା,
ତୋ ଜାତି ପ୍ରାଣରେ ତୋ ଜାତି ଭାବରେ
ଗର୍ବେ ଟେକି ଉଠୁ ମଥା ।