ଜାଣି ପାରିନାହିଁ
ଜାଣି ପାରିନାହିଁ
ଯେଉଁଦିନ ପାଇଲି ପରଶ,
ସେ ଦିନଠୁଁ
ମନ ଆଉ ତନ
ସରସ ସରସ ।
ମନେ ଥିବ ତୁମେ ସଦା
ହୃଦୟକୁ ଅନାବିଳ କରି
ଦିବାଦଣ୍ଡ ମାସ ଆଉ ବର୍ଷ ।
ଯଦିଓ ମଧ୍ୟାହ୍ନ ଏବେ,
ଜୀବନର ସାୟାହ୍ନରେ ମଧ୍ୟ
ପ୍ରୀତିର ମହକରେ
ମହକି ମହକି ।
ନାଭିଠାରୁ ନାସାରନ୍ଧ୍ର ତକ
ଓଠରେ ମୁଁ ଆଙ୍କୁଥିବିଛବି,
ପ୍ରୀତି ଫଲଗୁ ବିଞ୍ଚି ଚାଲିଥିବି
ଆଉ କିଛି ନ ଥିବ ଯେ ବାକି ।
ତୁମ କଥା କହି ହେଉନାହିଁ ।
ନାରୀ ମାୟା ନାରାୟଣେ ମଧ୍ୟ
ଅଗୋଚର ବୋଲି
ତୁମେ ସତେ ମୋ ପରଶରେ
ସ୍ୱୀକୃତ ବା ଅସ୍ୱୀକୃତ
ସମ୍ମତ ବା ଅସମ୍ମତ
ଜାଣିବାର ପ୍ରୟାସରେ ମଧ୍ୟ
ଜାଣି ପାରିନାହିଁ ।

