ଜାଗରେ ସନ୍ତାନ
ଜାଗରେ ସନ୍ତାନ
ସ୍ୱାଧୀ୍ନୋତ୍ତର ସ୍ୱାଧୀନପନ୍ଥୀ
କାହିଁ ସେ ସ୍ୱାଧୀନପଣ ?
କାହିଁଗଲେ ଆଜି ସ୍ୱାଧୀନସଂଗ୍ରାମୀ
ଦେଶର ସେ ବୀରଗଣ |
ସ୍ୱାଧୀନ ସ୍ୱାଧୀନ ଗୁରାଳି କରୁଛ
ସ୍ୱାର୍ଥରେ ଯାଇଛ ଭିଜି
ଅଂହିସା ବଳରେ ସ୍ୱାଧୀନତା ପାଇ
ହିଂସାରେ ରହିଛ ମଜ୍ଜି |
ବିଦେଶୀକୁ ଦେଶୁ ହଟାଇବା ଲାଗି
ବୀର ଦେଲେ ବଳିଦାନ
ବିଦେଶୀ ଢାଞ୍ଚା ଆପଣାଇ ଆଜି
କରୁଛ ତା ଅପମାନ |
ଆତ୍ମା ତ ସୁପ୍ତ ଶରୀର ଜାଗ୍ରତ
ହିଂସା ଦ୍ୱେଷରେ ଭରି
ଲାଗୁଅଛି ସତେ ଭୁଲ କରିଲୁକି
ବିଦେଶୀଙ୍କୁ ଦେଶୁ ତଡି |
ବ୍ୟର୍ଥ ଯିବ କି ତାଙ୍କ ବଳିଦାନ
ସହିଲେ ଯେ ଏତେ କଷ୍ଟ
ତାଙ୍କରି ଓଲଟା କାମ କରି ଆଜି
କେମିତି ହୁଅ ସନ୍ତୁଷ୍ଟ |
ଅଳସୁଆ ହୋଇ ଭୋକ ବିକଳରେ
ଲୁଟି ମାରି ଝାମ୍ପି ଖାଅ
ଲୁଟେରାଙ୍କୁ ତଡି ସ୍ୱାଧୀନ ହୋଇଲ
ଏ କଥା ଭୁଲି ନ ଯାଅ |
ଜାଗରେ ଜାଗରେ ମୋ ଦେଶ ସନ୍ତାନ
ତେଜି ଅପକର୍ମ ମାନ
ତୋ ଦେଶ ଜନନୀ କ୍ରନ୍ଦନ କରୁଛି
ନାହିଁ କି ତା ପ୍ରତି ଧ୍ୟାନ!
ସ୍ୱାର୍ଥ ହାସଲକୁ ସ୍ୱାଧୀନତା ଭାବି
ଦେଉଛ ସ୍ୱାଧୀନ ମତ
ଏକା ହୋଇ ଯେବେ ଅସହାୟ ହେବୁ
ସୁଖ ଦେବକି ତୋ ସ୍ୱାର୍ଥ?
ଏବେ ବି ସମୟ ଅଛିରେ ତୋଷକ
ତୋଷାମଦ ଦିଅ ଛାଡି
ଜାଗୃତ ହୁଅ ସତ୍ୟ ଶ୍ରମ ପଥେ
ସ୍ୱଚ୍ଛନ୍ଦେ ଆଗକୁ ମାଡି |
ପୂରୁବ ପୁରୁଷ ମହାନଗାଥା
ଗାଉ ତୋ ସନ୍ତାନଦଳ
ଜାଗୃତ ହେଉ ମନରେ ତାଙ୍କର
ଶତ ସିଂହ ମନୋବଳ |
ଭବିଷ୍ୟ ମନରେ ଦେଶପ୍ରେମ ବହ୍ନି
ସଦା କର ପ୍ରଜ୍ଜ୍ୱଳିତ
ଵୀରଦର୍ପରେ ଜୀବନ ବିତାଅ
ସାଜ ହେ ଗୌରବ ସୁତ |