ଜାଗିବ ମଣିଷେ ମୃତ୍ୟୁଜୟୀ ଚେତନା
ଜାଗିବ ମଣିଷେ ମୃତ୍ୟୁଜୟୀ ଚେତନା
ପୁଞ୍ଜିବାଦର ପ୍ରଭାବେ ଧାଉଁଛି ମଣିଷ,
ନାହିଁ କିଛି ଭାବନାରେ ବନ୍ଧ
ଧନ ଦଉଲତ କ୍ଷମତାର ନିଶା ଏମିତି ହୋଇଛି
ମଣିଷକୁ ତାହା କରିଛି ଅନ୍ଧ ।
ଭେଜାଲ ବଢ଼ୁଛି, ମଣିଷ ଜାଲ୍ ତ ହୋଇଛି,
ଚକା ପଞ୍ଚାର ଖେଳ ଚାଲିଛି
ଛନ୍ଦ କପଟ ହିଂସା ଇର୍ଷା ଅଭିମାନ ଅହଙ୍କାର,
ମଣିଷର ମନେ ଭର୍ତ୍ତି ହୋଇଛି ।
ଅମୃତ ସନ୍ତାନ ବିବେକୀ ମଣିଷ ମାନବିକତା
କର୍ତ୍ତବ୍ୟପଣ ସବୁ ହରାଇଛି
ପୁଞ୍ଜି ପାଇଁ ସିଏ ନିର୍ଦ୍ଦୟ ନିର୍ମମ ପଶୁ ପ୍ରବୃତ୍ତି
ଆଚ଼ରଣ ସବୁକଥା ଆଦରିଛି ।
ଭୟ ଭ୍ରାନ୍ତିରେ, କର୍ମ ଅଭାବରେ, ହଜିଛି
ମଣିଷ ଜୀବନର ରାହା
ଦେଖ ଆଜି ଚ଼ାରିଆଡ଼େ ଖାଲି ଆତସ ବାଜିର
ଖେଳ, କିଏ ହୋଇବ ସାହା ।
ପୃଥିବୀ ମାତା ଆଜି କାନ୍ଦୁଛି, ସାରା ବିଶ୍ବଟାରେ
ଗଣତନ୍ତ୍ରର ରଜ୍ଜୁ ଛିଣ୍ଡି ଯାଉଛି
ହିଂସାର ପ୍ରଭାବେ, ମଣିଷର ରକ୍ତ ମଣିଷର ହାତେ
ଆଜି ହୁତୁହୁତୁ ହୋଇ ଜଳୁଛି ।
ଶୁଣିଥିଲେ ଦିନେ କଥା ଦେଇ ଯିଏ କଥା ରଖେ
ନାହିଁ, ନୁହେଁ ମଣିଷରେ ଗଣା
କିନ୍ତୁ ଏହି ଧରାର ତଳେ ସବୁ ଘଟିଯାଏ ଧ୍ବଂସ
ଅଭିମୁଖୀ ଅଲୌକିକ ଘଟଣା ।
ମିଛରେ ମିଛରେ ଅଭିନୟ କରି ମଣିଷ ମଣିଷକୁ
କହେ, ସିଏ ତାକୁ ଅତି ଭଲ ପାଏ
କଥାଟା ପାଣିର ଗାର, ମୁହଁରେ ମିଠା ଅନ୍ତରେ ଜହର,
ପ୍ରତାରଣାରେ ମଣିଷକୁ ଭସେଇ ଦିଏ ।
ଅଜ୍ଞାନର ଅନ୍ଧାରରେ ରକ୍ତର ଗାଢ଼ ନାଲ୍ ରଙ୍ଗରେ
ମଣିଷ ହୋଇଛି ମଗନ
ଏହି ଅବସ୍ଥା ଦେଖି ଦଗ୍ଧ ହୁଏ ପ୍ରତ୍ୟେକ ଶାନ୍ତିକାମୀ
ମୁକ୍ତିକାମୀ ଜନତାର ପ୍ରାଣ ।
ଏଇତ ଧୃବ ସତ୍ୟ, ଅନ୍ଧାର ପରେ ଆଲୁଅ ପରି ମୃତ୍ୟର
ତାଣ୍ଡବରୁ ହୁଏତ ନବ ସର୍ଜନା
ଚିତ୍ତେ ମୋହର ଦୃଢ଼ ବିଶ୍ୱାସ, ପୁଂଜିବାଦ ଲୋପ ହେବ,
ଦିନେ ଜାଗିବ ମଣିଷେ ମୃତ୍ୟୁଜୟୀ ଚେତନା ।