ଈଶ୍ଵର
ଈଶ୍ଵର
ବିଶାଳ ଧରାରେ କ୍ଷୁଦ୍ର ମୁଁ ଏକା
ଭାବିନି କେବେ ମୋ ସ୍ଥିତି
ବିଶ୍ଵ ନିୟନ୍ତା ଗଢିଛନ୍ତି ସବୁ
ଭ୍ରମ ହୁଏ ମତି ଗତି ।।
ନିଜ ପାଇଁ କରେ କେତେ ମାନସିକ
ଦେବା ଦେବୀଙ୍କୁ ନେଇ
ଜାଣେନା ଦୁନିଆ ସବୁ ତାଙ୍କର
ନିମିତ୍ତ ଆମେରେ ଭାଇ ।।
ପଞ୍ଚଭୂତରେ ଗଢା ଏ ଶରୀର
ମାଟିରେ ମିଶିବ ଦିନେ
ସ୍ରଷ୍ଟାର ଯେ ଏ ବିଚିତ୍ର ସୃଷ୍ଟି
ବୁଝିବେ କାହିଁ ଜନେ ।।
ସୂର୍ଯ୍ୟ ଚନ୍ଦ୍ର ତଟିନୀ ସମୀର
ସବୁ ଗଢା ତମ ହାତେ
ସୀମିତ ଜୀବନେ ଲୋଡା ନାହିଁ ଆଉ
ନେଇଯାଅ ପ୍ରଭୁ ମୋତେ ।।
ଅନ୍ଧାର ରାଇଜେ ଆଲୋକର ଶିଖା
ଦେଖାଅ ଜଗତ ସାଇଁ
ବଞ୍ଚିକି ମରିବା ନିତି ଯେ ଏଠି
ମାୟା ପଛେ ଧାଇଁ ଧାଇଁ ।।
ତୁମେ ଏକା ପ୍ରଭୁ ପରମ ସତ୍ୟ
ଆଉ ସବୁ ମୂଲ୍ୟହୀନ
ଅଧା ଜୀବନ ଯେ ସରିଗଲା ଏଠି
ସମ୍ପଦ ପାଇଁ ଏ ମନ ।।