ଇଚ୍ଛା ହୁଏ ମୋର
ଇଚ୍ଛା ହୁଏ ମୋର
ଇଚ୍ଛା ହୁଏ ମୋର ତୁମ ସାଥେ ଆଜି
ବରଷାରେ ଭିଜିବାକୁ
ତୁମ ଛାତି ପରେ ବାହୁ ବନ୍ଧନରେ
ପୀରତିରେ ମଜ୍ଜିବାକୁ ||
ଝରି ପଡୁଥିବ ଝରଝର ହୋଇ
ଅବାରିତ ବାରିଧାରା
ଭିଜାଇବ ମୋର ଦେହର ବସନ
କେଶକୁ ବରଷାଧାରା ||
ମୋ ଭିଜା କେଶରୁ ବରଷା ଟୋପାଟି
ତୁମ ଅଧରରେ ପଡି
ମୁକୁତା ସୁଷମା ଭରିଦେବ ତାହା
ଗାଲକୁ ଧରିବି ଭିଡି ||
ତୁମ ଗାଲେ ଓଠେ ମୋ ଓଠ ଲଗାଇ
ଆଙ୍କି ଦେଇଯିବି ଚୁମା
ସବୁଦିନ ପାଇଁ ସ୍ନିଗ୍ଧ ଚିବୁକରେ
ଝଟକିବ ଅରୁଣିମା ||
ବକ୍ଷୋଜ ଯୁଗଳ ସ୍ପଷ୍ଟ ଦିଶୁଥିବ
ଅନ୍ତଃବାସ ଭିଜିଯାଇ
ତୁମ ଦେହେ ତାହା ଫୁଲ ଶର ପରି
କାମନା ଦେବ ଜଗାଇ ||
ତୁମ ହାତ ଓଠ ବୋଲ ମାନିବନି
ସବୁ ସୀମା ଯିବ ଡେଇଁ
ସମର୍ପି ଦେବି ମୁଁ ତୁମଠି ନିଜକୁ
ସରମି ଲତାଟେ ହୋଇ ||
ବରଷାର ଧାରା ଝରି ଅବାରିତ
ଆମକୁ ଭିଜାଉଥିବ
ଆମ ଦୁହିଙ୍କର ହୃଦର ସ୍ପନ୍ଦନ
ସମବେଗେ ଚାଲୁଥିବ ||
ପ୍ରୀତିର ପ୍ଳାବନେ ଭାସିଯିବା ଦୁହେଁ
ଭସା ନାଆଟିଏ ହୋଇ
ଅକାତ କାତ ସେ ପ୍ରୀତି ବନ୍ୟା ଜଳେ
ଥଳ କୂଳ ଭୁଲିଯାଇ ||
ବୁଡି ଯାଉଥିବା ଦିଶୁଥିବା ପୁଣି
କ୍ରୀଡାରତ ମୀନ ପରି
ଦୁହେଁ ଦୁହିଁଙ୍କର ବାହୁ ଝୁଲଣାରେ
ଝୁଲୁଥିବା ଥିରି ଥିରି ||

