ହରିଣ ଶିକାର
ହରିଣ ଶିକାର


ଯୁବକ ଜଣେ ଶିକାର ପାଇଁ
ବଣକୁ ଗଲେ ଥରେ
ପାଦରେ ଜୋତା ମୁଣ୍ଡରେ ଟୋପି
ବନ୍ଧୁକ ଧରି କରେ |୧|
ଦେଖିଲେ ବଣେ ଚରଇ ଘାସ
ହରିଣଟିଏ ଆସି
ମାରିଲେ ଗୁଳି ପଡିଲା ଖସି
ଶିକାରୀ ମନ ଖୁସି |୨|
ବୀର ଦର୍ପରେ ଶିକାରୀ ଦେଖେ
ନିକଟେ ଯାଇ ତା'ର
ଚୁଲୁବୁଲିଆ ହରିଣ ଦେହୁ
ବୋହେ ରକତ ଧାର |୩|
କେରାଏ ଦୂବ କଳେ ତା' ଅଛି
ନିସ୍ତେଜେ ଅଛି ଶୋଇ
ଶିକାରୀ ମନ ବ୍ୟାକୁଳ ହେଲା
କାନ୍ଦିଲେ କଇଁ କଇଁ |୪|
କରିବେ ନାହିଁ ଶିକାର ଆଉ
ପ୍ରତିଜ୍ଞା କଲେ ମନେ
ସେଦିନୁ ସିଏ ଅହିଂସା ନୀତି
କହିଲେ ଆମ କାନେ |୫|
ଯିଏ କହିବ ତାଙ୍କରି ନାମ
ହୋଇବ ସାଙ୍ଗ ମୋର
ଶିଶୁଙ୍କ ପ୍ରାଣ ଅଟନ୍ତି ସିଏ
ଚାଚା ନେହେରୁ ଆମର |୬|