ମାଆ ଓ ଶାଶୁ
ମାଆ ଓ ଶାଶୁ
ଜନ୍ମ ଦେଇଥାଏ ଅନ୍ତ ଚିରି ମାଆ
ସହି ଗର୍ଭ ଯନ୍ତ୍ରଣା କଷ୍ଟ.
ମନ ବୁଝି ଦୁଃଖ ଅନୁଭବ କରେ
ସେ ହୁଏ ଖାଲି ଛଟପଟ ।
ତା ପାଖରେ ଝିଅ ଅଟଇ ଯେ ପ୍ରିୟ
ସତେ କି ସରଗ ପରି.
ହୃଦୟର କଥା ଆପେ ବୁଝିଥାଏ
ଦୁଃଖ ସବୁ ନିଏ ହରି ।
ଖାଇବାକୁ ଟିକେ ରାଗିଲେ ରୁଷିଲେ
ପଛରେ ଗୋଡାଉ ଥାଏ.
ଝିଅ ପସନ୍ଦର ଖାଦ୍ୟ ରାନ୍ଧି ସିଏ
ଯତ୍ନରେ ଖୁଆଉ ଥାଏ ।
ପାଖରେ ସେ ବସି ମୁଣ୍ଡକୁ ଆଉଁସି
ସେନେହ ପରଷୁ ଥାଏ.
ନିଜ ତନୟାର ଭୋକ ସହେ ନାହିଁ
ପେଟ ତାର ଭରୁ ଥାଏ ।
ମା ପରା ମାଟି ଆ ଯେ ଆକାଶ
ହୃଦୟ ତାର ବିଶାଳ.
ଶା ହେଲା ଶାନ୍ତ ଶୁ ଟି ଉତ୍ତମ
ଅନ୍ତରଟା ନୁହେଁ ପରିଷ୍କାର ।
ଆଶା ସଵାରୀରେ ଝିଅଟିଏ ଆସେ
କର୍ମଭୂମି ଶାଶୁ ଘରେ
କେବେ ହୁଏ ନାହିଁ ବୋହୂଟି ଦୁହିତା
ମାଆ କୁ ସଦା ସେ ଝୁରେ ।
ଶାଶୁ ବୁଝନ୍ତିନି ଅନ୍ତର ବେଦନା
ବୋହୂ କପାଳେ ନିନ୍ଦା ଲେଖା.
ବିନା ଦୋଷରେ ସେ ଦୋଷୀ ସାଜୁଥାଏ
ନୀରବେ ନୁଆଁଇ ମଥା ।
ବୋହୂ ହୁଏ ନାହିଁ କେବେ ଆପଣାର
ଶାଶୁ ବୁଝନ୍ତିନି ମନ କଥା
ପର ଝିଅ ବୋଲି କହିଦେଲେ ଶାଶୁ
ହୃଦୟକୁ ଲାଗେ ବ୍ୟଥା ।
ମାଆ କହିଥାଏ ଶାଶୁ ଘରେ ତୁହି
ନୂଆ ମାଆ ଙ୍କୁ ପାଇବୁ
ପର ଝିଅ କହି ଦେଲେ ବି ଆଡେଇ
ଆପଣାର ଭାବୁଥିବୁ ।
ଯେତେ ଆପଣାର ଭାବିଲେ ବି ବୋହୂ
ଶାଶୁଙ୍କ ହୃଦୟ ଟାଣ
ନିଜ ଝିଅ ପରି ଭାବନ୍ତିନି କେବେ
ନଥାଏ ସମାନ ସ୍ନେହ ।
ଶାଶୁ ଆଉ ମାଆ ହେବେନି ସମାନ
ଏକଥା ସମ୍ପୂର୍ଣ୍ଣ ସତ.
ମାଆ ଭାବି ଶାଶୁ ସେବା କଲେ ବୋହୂ
ସୁଖେ ଗଡିବ ସଂସାର ରଥ।
ଆଜି ଯିଏ ବୋହୂ କାଲି ହେବ ଶାଶୁ
ଏ କଥାଟି ମିଛ ନୁହେଁ.
ପରସ୍ପରେ ଦେଲେ ସ୍ନେହ ଓ ସମ୍ମାନ
ନିନ୍ଦା କରିବେ କି କିଏ ?
ଆଚରଣ ଉଚ୍ଚାରଣ ଶୁଦ୍ଧ ହେଲେ
ଜୀବନ ସୁଖେ ବିତିବ
ଶାଶୁ ବୋହୂଙ୍କର ସମ୍ପର୍କକୁ ନେଇ
ପ୍ରଶ୍ନ କାହିଁକି ଉଠିବ ?
କଳଙ୍କ କାଇଁ ଲାଗିବ ?