ଜୀବନ ବିନ୍ଦୁ
ଜୀବନ ବିନ୍ଦୁ
ଜଳବୁନ୍ଦାଟେ ଯେତେବେଳେ
ଆକାଶରୁ ଖସିପଡେ
ରୂପାରଙ୍ଗରେ ବିମୋହିତ କରେ
ସୂର୍ଯ୍ୟସ୍ନାତା ହେଲେ
ଇନ୍ଦ୍ରଧନୁ ସାଜେ ।
ଜଳବୁନ୍ଦାଟେ ସାଗରେ ପଡିଲେ
ସାଗର ଥରିଉଠେ
କ୍ଷୀଣ ତରଙ୍ଗ ପ୍ରଭାବେ,
ଦିଗନ୍ତ ବିସ୍ତାରୀ ଚକ୍ରୀୟ ତରଙ୍ଗ
ମାଡିଚାଲେ ଆଗକୁ ଆଗକୁ
ଆଦି ଥାଏ ଅନ୍ତହୀନ ।
ଛୋଟ ଛୋଟ ଅନେକ ଜଳବୁନ୍ଦା ମିଶି
ପାଣିହୋଇ ବହିଗଲା ପରେ
ଜୀବକୂଳ
ଜୀବନକୁ କରେ ପରିସ୍ଫୁଟ,
ଯେତେବେଳେ ବନ୍ୟା ହୋଇ ମାଡ଼ି ଆସେ
ଧ୍ଵଂସ ଲୀଳା ରଚେ
ସଭିଏଁ ଲଭନ୍ତି କଷ୍ଟ ।
ଛୋଟ ଛୋଟ ମନ୍ଦକଥା
ଭାଙ୍ଗେ ହୃଦୟକୁ
ଛୋଟ ଛୋଟ ଭଲକଥା
ଡାକେ ଆନନ୍ଦକୁ।
ପ୍ରେମର ଛୋଟ ଶବ୍ଦଟିଏ
ହୃଦୟକୁ କରେ ପ୍ରସାରିତ
ଜାଗିଉଠେ ବଞ୍ଚିବାର ନିଶା,
ଘୃଣାର ଛୋଟ ଶବ୍ଦଟିଏ
ହୃଦୟେ ଦିଏ ଆଲୋଡନ
ଘୋଟିଆସେ ଜୀବନେ ନିରାଶା ।