STORYMIRROR

susmita mohapatra

Inspirational

4  

susmita mohapatra

Inspirational

ଦେବୀ

ଦେବୀ

1 min
22.6K

ହୃଦୟ ଯାହାର ହିମାଳୟ ଠାରୁ

ବିଶାଳ ଏ ମାଟି ପରେ,

ଅସୀମ ସାଗର ଠାରୁ ବିସ୍ତୃତ

ବକ୍ଷ କୋଳାଇ ଧରେ,

ଆପେ ଆପେ ମଥା ଯାହା ପାଦେ ଆମ

ଭକ୍ତିରେ ଯାଏ ଲଇଁ,

ମହୀପରେ ସେହି ମହୀୟସୀ କିଏ

ପାରିବକି ତୁମେ କହି ?

ଅବିରତ ଯା'ର ସେବା, ପ୍ରାର୍ଥନା

ରୋଗ ଆମ ଦୂର କରେ,

ନିଜ ପେଟ ଭୋକ ମାରି ଯିଏ ସଦା

ଆମ ପେଟେ ଦାନା ଭରେ,

ତା'କଥା ନବୁଝି ପଥର ଦେବୀଙ୍କୁ

ପୂଜୁ ଆମେ ଦେଉଳରେ,

କେଉଁ ପୁଣ୍ୟ ଲଭୁ ସତ ଦେବୀ ମା'ଙ୍କୁ

ଅବହେଳା କରି ଘରେ ?

ମାଆ ନୁହେଁ ସେତ ମମତା ମୂରତି

କିଏ ହେବ ତା'ର ସରି,

କୋଟିଏ ବଦଳେ କିଣି ପାରିବାକି

ମାଆ ଟିଏ ତା' ପରି ?

ଜୀବନଟା ସାରା ଦଉଡୁ ସରବେ

ଆକୁଳେ ଧନର ଲୋଭେ,

ସବୁଠୁଁ ଅମୂଲ୍ୟ ଧନ ଆମେ ତା'ର

ତହୁଁ ସେ ଶାନ୍ତି ଲଭେ ।

ଜୀବନ ସଂଜେ ହେଜ ନାହିଁ ହୀନ

ନମଣ ତୁଚ୍ଛ ତାକୁ,

ଅବହେଳା ଫଳ ନଚେତ ଆମକୁ

ହେବ ଦିନେ ଭୋଗିବାକୁ ।

ମରତେ ମା' ଆମ ସାକ୍ଷାତ ଦେବୀ

ସରଗ ଦେଖିଛି କିଏ,

ପଣ କର ଆଜି ପୂଜିବା ସଭିଏଁ

ଜିଇଁ ଥିବା ଯାଏ ସିଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational