STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

1 min
237

ଈଶ୍ଵରଙ୍କ ସୃଷ୍ଟି ଏ ସାରା ସଂସାର

    ଦ୍ଵିତୀୟ ସ୍ଵର୍ଗ ଅଟଇ ମର୍ତ୍ତ୍ୟପୁର 

ଜୀବନ ଏ ପୁରେ ନିମିତ୍ତ ନଶ୍ୱର

   ଜନ୍ମେ ମାନବ ପାଇବାକୁ ସଂସ୍କାର।


ଏକ ବ୍ରହ୍ମ ଭିନ୍ନ ଭିନ୍ନ ଜୀବ ଦେହେ

   ରହି ବିଶ୍ୱ ବ୍ରହ୍ମାଣ୍ଡର ମନ ମୋହେ 

କର୍ମ କରି ହୁଏ ଧନ୍ୟ ସୁଖେ ରହେ

  ଅପକର୍ମେ ଦୁଃଖ ପାଇ ଭାସେ ଲୁହେ।


ଆତ୍ମା ରୂପରେ ମାଧବ ପ୍ରତି ଘଟେ

    ରହିଥାନ୍ତି ସଦା ପ୍ରାଣୀର ନିକଟେ 

ପ୍ରେରଣା ଦେଇ ନିଅନ୍ତି ଭଲ ବାଟେ

   ଉଦ୍ଧରି ଧରନ୍ତି ପଡି଼ଲେ ସଂକଟେ।


ସବୁରି ମଧ୍ୟରେ ଭାବ ବିନିମୟ

    କରିବାକୁ ଦେଇଛନ୍ତି ସେ ହୃଦୟ 

ଅନୁଭବେ ଜାଣି ହୁଏ ସେ ଚିନ୍ମୟ

   ତାଙ୍କରି ଲାଗି ସଂସାର ମଧୁମୟ।


ସମାଜେ ମାନବ ଅଟଇ ଯେ ଶ୍ରେଷ୍ଠ 

   ଆତ୍ମବିକାଶ ଲାଗି ସେ ରହେ ନିଷ୍ଠ 

ସଂପର୍କ ଗଢି଼ ହୋଇଥାଏ ଘନିଷ୍ଠ

   ସବୁରି ହିତେ ଲାଘବ କରେ କଷ୍ଟ।


ନିଜ ପରି ସେ ଅନ୍ୟକୁ ଭାବି ସମ

   ବ୍ୟବହାର ଦେଖାଇ ଥାଏ ଉତ୍ତମ 

ଜୀବନେ କରମ ପରମ ଧରମ

   ପୂଣ୍ୟ କାର୍ଯ୍ୟେ ତୃପ୍ତ କରେ ଧରାଧାମ।


ସେବା ତ୍ୟାଗ ଯତ୍ନ ତା' ମହତ ପଣ

    କରି ନିଏ ପ୍ରଭୁଙ୍କ ଠାରେ ଶରଣ 

ମନ୍ଦ ଗୁଣ ତା' ବିନାଶର କାରଣ

   ବହୁ କଷ୍ଟ ଯନ୍ତ୍ରଣା ପାଏ ତା' ପ୍ରାଣ।


ସେବା ବିନିମୟେ ପାଏ ସିଏ ସେବା

   ବୁଝିଥାଏ ସେ ସହଯୋଗ କରିବା 

ମିଳିମିଶି ଦୁନିଆଁ ଭଲ କରିବା

   ସଭିଙ୍କ ଆତ୍ମା ମନୋଭାବ ବୁଝିବା।


ମାନବ ସମାଜ ସଂପର୍କରେ ବନ୍ଧା

   ପୂର୍ଣ୍ଣ ହୁଏ ସବୁ ଥାଏ ଯାହା ଅଧା 

ସେବା ଛାଡି଼ ଯିଏ ଦେଉଥାଏ ବାଧା

  ଉପୁଜେ ତା' ପାଶେ ନାନା ଅସୁବିଧା।


ମାନବ ସେବାରେ ରହିଲେ ମାନବ 

    ସର୍ବଦା ସନ୍ତୁଷ୍ଟ ହୁଅନ୍ତି ମାଧବ 

ଅତୁଟ ଜୀବ ପରମର ଏ ଭାବ

    ରଖିଥିଲେ ସୁଖମୟ ହୁଏ ଭବ।


ମାନବ ସେବା ହିଁ ମାଧବର ସେବା

  ତା' ବିନା ଧରାରେ ଅଛି ଆଉ କିବା ?

ନାହିଁ କିଛି ଜୀବ ଗଲେ ବୋହି ନେବା

   ଭଲ କର୍ମ ଥିଲେ ଅଭୁଲା ରହିବା।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational