STORYMIRROR

Sachidananda Kar

Children

4  

Sachidananda Kar

Children

ହୋଇଗଲି ମୁହିଁ ସୁଖୀ

ହୋଇଗଲି ମୁହିଁ ସୁଖୀ

1 min
292

ଦିନେ ଖରାବେଳେ

   ଖୋଜିହେଲି ଗଛ ଛାଇ

ଗଛଟେ ଚାହିଁଲା ଥିଇରି ଡାକିଲା

ହସହସ ହୋଇ

   ବସିଗଲି ବେଗେ ଯାଇ ।।


ଶୋଷ ଲାଗୁଥିଲା

   ଖୋଜିଲି ଦିନେ ମୁଁ ପାଣି

ନଈଟେ ହସିଲା ଇସାରା ବି ଦେଲା

ଧାଇଁଗଲି ମୁହିଁ

   ଦେଲା ସିଏ ମନ ଜାଣି ।।


ଲୋଡା ଥିଲା ଦିନେ

   ଆଲୋକ ଦେଲି ମୁଁ ମାଗି

ସୂରୁଯ ଉଇଁଲେ ମୋତେ ଆଣିଦେଲେ

ନିଦ ଭାଙ୍ଗିଦେଇ

   ସହସା ଉଠିଲି ଜାଗି ।।


ବରଷାକୁ ଦିନେ

   ଚାହିଁଲି ଚାତକ ପରି

ଟପ୍ ଟପ୍ ହୋଇ ଆସିଲା ସେ ଧାଇଁ

ମେଘ ନୁହେଁ ମହୁ

   ଦେଲା ମୋ ଓଠରେ ଭରି ।।


ଗୀତ ଶୁଣିବାକୁ

   ଆସିଥିଲି ଦିନେ ବୁଲି

କୋଇଲି ଗାଇଲା ମନ ଖୁସି କଲା

ମିଠା ସୁର ତା'ର

   ଆଜି ବି ପାରୁନି ଭୁଲି ।।


ନାଚ ମୁଁ ଦେଖିବି

   ଦେଉ ଦେଉ ଦିନେ କହି

କେଉଁଠି ଯେ ଥିଲା ମୟୂର ଆସିଲା

ରଙ୍ଗୀଲା ରଙ୍ଗୀଲା

   ନାଚିଲା ମୋ ଆଗେ ରହି ।।


ବସିଥିଲି ଏକା

   ଦିନେ ମୁଁ ହାଲିଆ ହୋଇ

ଡାକିଲା ଆଦରେ ଚାଲିଗଲି ଧୀରେ

ଘାସ ଗାଲିଚାରେ

   ଆନନ୍ଦେ ପଡିଲି ଶୋଇ ।।


ଭୋକ ଲାଗୁଥିଲା

   ଥିଲି ଦିନେ ଭାରି ଦୁଃଖୀ

ମାଟି ମାଆ ଆସି ଦେଲା ହସି ହସି

ପେଟେ ଖାଇଦେଇ

    ହୋଇଗଲି ମୁହିଁ ସୁଖୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children