ହୋଇବା ତୁଳସୀଟିଏ
ହୋଇବା ତୁଳସୀଟିଏ
ଟିକି ମୋ ଅଗଣା ମୁକ୍ତ ବାତାୟନ
ମାତା ସୁଶୀତଳ ଶଶୀ
ପିତା ସୂର୍ଯ୍ୟ ସମ ପରିବାର ମୁଖ୍ୟ
ସଭିଏଁ ଚଳନ୍ତି ମିଶି ।
ପବିତ୍ର ଗୋମୟେ ଲିପିଦିଏ ମାଆ
ବୃନ୍ଦାବତୀ ଚଉତରା
ନିତି ପ୍ରାତଃ ସଞ୍ଜେ ଅର୍ଘ୍ୟ ଧୂପ ଦୀପେ
କରୁ ଆମେ ଆରାଧନା ।
ତୁଳସୀର ଦଳ ତୁଳସୀ ମଞ୍ଜରୀ
ବାସିଥାଏ ମହମହ
ଶୁକ୍ଳ ଏକାଦଶୀ କାର୍ତ୍ତିକ ମାସରେ
ହୁଏ ତୁଳସୀ ବିବାହ ।
ତୁଳସୀର ପତ୍ର ପଡିଲେ ନୈବେଦ୍ୟ
ହୁଅଇ ଗ୍ରହଣଯୋଗ୍ୟ
ତୁଳସୀ ସ°ସର୍ଗେ ବିଷ୍ଣୁଲୋକ ପ୍ରାପ୍ତି
ଯମ ନ ମାଡଇ ଦ୍ୱାର ।
ତୁଳସୀ ମୂଳରେ ଶଙ୍ଖ ଚକ୍ର ଗଦା
ସ୍ୱସ୍ତିକ ପଦ୍ମ ମୂରୁଜ
ପଞ୍ଚୁକ ସକାଳୁ ପ୍ରତିଟି ପରାଣେ
ଖେଳାଏ ନୂଆ ଉତ୍ସାହ ।
ପର ଉପକାର ପବିତ୍ର ସଙ୍କଳ୍ପ
ଆଚରିବା ମୃତ୍ୟୁ ଯାଏ
ଦୁଇଟି ପତ୍ରରୁ ବିକଶିବା ଗୁଣ
ହୋଇବା ତୁଳସୀଟିଏ ।
--------
