ହଂସ ତତ୍ତ୍ଵ
ହଂସ ତତ୍ତ୍ଵ
ବିଭିନ୍ନ ପ୍ରସଙ୍ଗ ରହିଛି ଜଡ଼ିତ
ହଂ-ସ ତତ୍ତ୍ଵ ସମ୍ପର୍କରେ
ସୃଷ୍ଟିର ରହସ୍ୟ ପୁଣି ଶବ୍ଦ ବ୍ରହ୍ମ
ନିହିତ ସେହି କ୍ରମରେ
ମଣିଷର ନିଃଶ୍ୱାସ ପ୍ରଶ୍ୱାସ ବେଳେ
ହଂ - ସ , ଧ୍ଵନୀ ହୁଏ ଜାତ
ଅସ୍ପଷ୍ଟ ଆକାରେ ଅନାହତ ନାଦ
ଅଜପା ନାମେ କଥିତ
ପ୍ରାଣବାୟୁ ରୂପେ ଗମନାଗମନ
ହଂ - ସ, ଧ୍ଵନୀ ସହିତ
ହ - ବର୍ଣ୍ଣ ପୁରକ, ସ - ବର୍ଣ୍ଣ ରେଚକ
ସବୁବେଳେ କାର୍ଯ୍ୟରତ
ଆତ୍ମା ଓ ପରମାତ୍ମାଙ୍କର ସଂଯୋଗ
ହୁଏ " ହଂ - ସ " ମାଧ୍ୟମରେ
ହଂ - ସ ବିହୁନେ ତତ୍କାଳ ବିଚ୍ଛେଦ
ପ୍ରାଣ ନ ରହେ ପିଣ୍ଡ ରେ
ନିଃଶ୍ୱାସ ନେବାକୁ ସ୍ୱ-ହ ରୂପେ ବ୍ୟକ୍ତ
ପ୍ରଶ୍ୱାସ ରୂପେ ଅହମ୍
ଉଭୟ ଶବ୍ଦର ଯୋଗରେ ଉତ୍ପତ୍ତି
"ସେଇ ହିଁ ମୁଁ" "ସ୍ୱ ଅହମ୍ "
ଗାୟତ୍ରୀ ଛନ୍ଦ ମନ୍ତ୍ର ଜପ ରୂପରେ
"ସ୍ୱ ଅହମ୍" ପରିଚିତ
ରହସ୍ୟମୟ ତତ୍ତ୍ଵ ସାଧକ ବୁଝି
କରିଥାଏ ନିୟନ୍ତ୍ରିତ ।
ଓଁ ' କାର ପ୍ରଥମ ସତ୍ୟୋକ୍ତି ଭାବରେ
ବିଶ୍ଵ ବ୍ରହ୍ମାଣ୍ତେ ନିଦାନ
ଏ ଜଗତ ପ୍ରକଟ ବହୁ ପୂର୍ବରୁ
ପରମାତ୍ମା ବିଦ୍ୟମାନ
ସୃଷ୍ଟିର ସମଗ୍ର ତତ୍ତ୍ଵ ସମାହିତ
ଓଁକାର ଧ୍ଵନୀ ନାଦରେ
ବ୍ରହ୍ମାଙ୍କ ମୁଖ ନିସୃତ ବାଣୀ ଅଟେ
ଓଁକାର ବେଦ ରୂପରେ
ଶ୍ରୀକୃଷ୍ଣଙ୍କର ମଧୁର ବଂଶୀସ୍ୱନ
ମଧ୍ୟେ ବଳୟ ଓଁକାର
ଶିବଙ୍କ ଉଗ୍ର ତାଣ୍ଡବ ରୁ ନିର୍ଗତ
କମ୍ପନ ଅଟେ ଓଁକାର
ପିଣ୍ଡ ବ୍ରହ୍ମାଣ୍ଡର ଆଧାର ଓଁକାର
ସର୍ବ ଧର୍ମେ ଉପଯୋଗ
ଓଁ ଅଟଇ ସାର୍ବଭୌମ ତତ୍ତ୍ଵ ରୂପୀ
ଆଧ୍ୟାତ୍ମିକ ଯୋଗାଯୋଗ ।
ମହାଶୁନ୍ୟ ରୁ ଜ୍ୟୋତି,ଜ୍ୟୋତି ରୁ ଠୁଳ
ବିନ୍ଦୁ ବି ଠୁଳ-ରୂପ ରୁ
ବିନ୍ଦୁର ଅର୍ଦ୍ଧ ମାତ୍ରା ରୁ 'ଓଁ ' ର ସୃଷ୍ଟି
ଏଇ ସୃଷ୍ଟି ଆରମ୍ଭରୁ
ଓଁକାର ହିଁ ବ୍ରହ୍ମଙ୍କର ଅନ୍ୟ ନାମ
ଶୁନ୍ୟ ଶାନ୍ତ ଓ ଅବ୍ୟକ୍ତ
ତପ ବଳରେ ଓଁକାର ରୁ ପ୍ରକାଶ
ପୁଣି ବ୍ରହ୍ମ ହୁଏ ଜାତ
ଅକ୍ଷର ,ପ୍ରକୃତି ଆଉ ଶବ୍ଦ ବ୍ରହ୍ମ
ତିନି ରୂପରେ ବିଭକ୍ତ
ଅକ୍ଷର ବ୍ରହ୍ମ ହିଁ ଦାରୁବ୍ରହ୍ମ ରୂପେ
ପରଂବ୍ରହ୍ମ ଜଗନ୍ନାଥ
ପରା ଶକ୍ତି ପୁଣି ଅପରା ପ୍ରକୃତି
ଯୋଗମାୟା ସୁଭଦ୍ରିକା
ଶୁନ୍ୟରୁ ଠୁଳ-ରୂପ ପ୍ରକାଶ ବ୍ରହ୍ମ
ବଳଭଦ୍ର ରୂପେ ଏକା
ବ୍ରହ୍ମା କର୍ଣ୍ଣେ ସୃଷ୍ଟି ସର୍ଜନା ରହସ୍ୟ
ଶୁଭିଲା ଶବ୍ଦ ରୂପରେ
ସେଇ ଶବ୍ଦ ନାଦ ବ୍ୟାପ୍ତ ହେଲା ହେଳେ
ମହାଶୁନ୍ୟ ଆକାଶରେ
ଶବ୍ଦ ନାଦ ରୁ ବିନ୍ଦୁ ତ୍ରିଗୁଣାତ୍ମକ
ବ୍ରହ୍ମା-ବିଷ୍ଣୁ-ଶିବ ଭାବେ
ଅ ଉ ମ ତିନୋଟି ମାତ୍ରା ସହିତରେ
ଏକାକ୍ଷର ବ୍ରହ୍ମ ଭବେ
ଯୋଗ ମାୟା ଅର୍ଦ୍ଧ ମାତ୍ରା ବିନ୍ଦୁ ସହ
ଓଁକାର ହିଁ ପ୍ରକଟିତ
ଓଁକାର ପ୍ରଣବ ରୁ ସକଳ ସୃଷ୍ଟି
ପ୍ରଣବ ହିଁ ଅଟେ କୃଷ୍ଣ
କୃଷ୍ଣଙ୍କୁ ଚିହ୍ନିଲେ ହୁଏ ମୋକ୍ଷ ପ୍ରାପ୍ତି
ଦୂର ହୁଏ ଦୁଃଖ କଷ୍ଟ
ଅ-କାର ଆନନ୍ଦ ଓ ଉ-କାର ଚିତ
ମ-କାର ଅଟଇ ସତ
ଓଁ ର ଅନ୍ତିମ ଭାଗ '' ମ " ସ୍ଵରବର୍ଣ୍ଣ
ଉଚ୍ଚାରଣ ସମ୍ବଳିତ
"ମ'' ବର୍ଣ୍ଣ ଜଡ ପ୍ରକୃତିର ସୂଚକ
ଗତିଶୀଳ ନାହିଁ ତା'ର
ଅ,ଉ ଚେତନା ଭାବରେ ସହାୟତା
ଓଁ ରେ ତିନୋଟି ଅକ୍ଷର
ତିନୋଟି ଅକ୍ଷର ତିନୋଟି ଗୁଣର
ସତ୍ତ୍ଵ ,ରଜ, ତମ ଚିହ୍ନ
ଯାହା ପରମାତ୍ମାଙ୍କ ତିନୋଟି ଭେଦ
ସ୍ଥୂଳ ସୂକ୍ଷ୍ମ ଓ କାରଣ
ଅନ୍ୟ ଅର୍ଥେ ଉତ୍ପତ୍ତି ସ୍ଥିତି ପ୍ରଳୟ
ତିନୋଟି କ୍ରିୟା ସୃଷ୍ଟିର
ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମାହାର
ତିନି ଦେବତାଙ୍କର
ଚେତନାର ତିନି ଅବସ୍ଥା ଜଡ଼ିତ
ବ୍ୟାପି ରହିଛି ସମ୍ପ୍ରତି
ବୈଶ୍ୱ ତୈଜସ ପ୍ରଜ୍ଞା ସରଳାର୍ଥ ରେ
ଜାଗ୍ରତ ସ୍ଵପ୍ନ ସୁଷୁପ୍ତି
ପ୍ରଣବ ସର୍ବବେଦେଷୁ ଗୀତା ବାଣୀ
ଓଁକାର ସର୍ବ ବେଦରେ
ଶ୍ରୀକୃଷ୍ଣଙ୍କର ମୁଖ ନିଃସୃତ ବାଣୀ
ଓଁକାର ସରଳାର୍ଥ ରେ
ସାଧକ ପାଇଁ ଓଁକାର ଧନୁ ସମ
ଆତ୍ମା ହିଁ ଶର ରୂପରେ
ସାଧକ ର ଲକ୍ଷ୍ୟ ସ୍ଥଳ ଅଟେ ବ୍ରହ୍ମ
ଆତ୍ମା ବିଦ୍ଧ ଓଁକାର ରେ
ଓଁକାର ର ଅନ୍ୟ ନାମ ନାଦ ବ୍ରହ୍ମ
ଧ୍ଵନି ସୃଷ୍ଟି ଆରମ୍ଭରେ
ଧ୍ଵନି କମ୍ପନ ରୁ ଏ ଜଗତ ସୃଷ୍ଟି
ବିଜ୍ଞାନ ସମ୍ମତ କରେ
ଓଁକାର କୁ ଅନାହତ ଧ୍ଵନୀ ମାନ୍ୟ
ନାହିଁ କିଛି ଆଦି ଅନ୍ତ
ବିନା ଆଘାତରେ ଓଁକାର ର ସୃଷ୍ଟି
ପ୍ରତ୍ୟକ୍ଷ ରେ ପ୍ରମାଣିତ
ମଣିଷର ନିଃଶ୍ୱାସ ପ୍ରଶ୍ୱାସ ସମୟେ
ଅସ୍ପଷ୍ଟ 'ହଂ- ସ ' ଧ୍ଵନି ରେ
ସେହି ଧ୍ଵନି ଅଟେ ଅନାହତ ନାଦ
ଅଜପା ଜପ ନାମରେ ।
ଭାଷାର ଶଦ୍ଦ ଉଚ୍ଚାରଣ ବେଳେ
ମୁଖେ ନିର୍ଗତ ଅ-କାର
ମୁଖ ବନ୍ଦ ବେଳେ ହୁଅଇ ମ-କାର
ମଧ୍ୟ ସ୍ଥଳରେ ଉ-କାର
ସମସ୍ତ ଶବ୍ଦ ବର୍ଣ୍ଣ ଭାଷା ନିହିତ
ଓଁକାର ର ଅନ୍ତର୍ଗତ
ବିଶ୍ବର ପ୍ରତ୍ୟେକ ଭାଷା ଉଚ୍ଚାରଣ
ଶବ୍ଦ ବର୍ଣ୍ଣ ରେ ଜଡିତ
ଓଁ ଉଚ୍ଚାରଣ ବେଳେ ଅ-କାର ଧ୍ଵନି
ମୂଳାଧାର ରୁ ନିର୍ଗତ
ମଣିପୁର ଚକ୍ର ନାମେ ନାଭି ଦେଶୁ
ରୁଦ୍ର ଗ୍ରନ୍ଥି ହୁଏ ବ୍ୟାପ୍ତ
ନାଭି ଦେଶ ଉର୍ଦ୍ଧେ ହୃଦୟ ମଧ୍ୟରେ
ବିଶୁଦ୍ଧଚକ୍ର କୁ ଗୁନ୍ଥି
ଉ-କାର ଧ୍ଵନି ବ୍ୟାପ୍ତ ହୁଏ ସମ୍ପ୍ରତି
ଭେଦ କରି ବିଷ୍ଣୁଗ୍ରନ୍ଥି
ମ-କାର ଧ୍ଵନି କଣ୍ଠ ଦେଶୁ ନିଃସୃତ
ଆଜ୍ଞା ଚକ୍ର ର ପର୍ଯ୍ୟନ୍ତ
ପରେ ପରେ ଭେଦ କରେ ବ୍ରହ୍ମ ଗ୍ରନ୍ଥି
ତାପରେ ଅବସ୍ଥା ଶାନ୍ତ
ଅର୍ଦ୍ଧ ମାତ୍ରା ର ସୂକ୍ଷ୍ମ ଧ୍ଵନି ସହିତ
ଆତ୍ମାର ସାକ୍ଷାତକାର
ନିଶ୍ଚଳ ଶାନ୍ତ ଅବସ୍ଥା ପ୍ରାପ୍ତ ହୁଏ
ଓଁକାର ପୂର୍ଣ୍ଣ ଆକାର
ଓଁକାର ହିଁ ବ୍ରହ୍ମଙ୍କ ପରିଚାୟକ
ଶାନ୍ତଂ ଶିବଂ ଅଦୈତମ୍
ଓଁକାର, ଅସରନ୍ତି ଜ୍ଞାନ ଭଣ୍ଡାର
ନାହିଁ ମାତ୍ର ଆଦି ଅନ୍ତ ।
ପରମାତ୍ମା ଅଦୃଶ୍ୟ ଅପାଣିପାଦ
ଚକ୍ଷୁ ଓ କର୍ଣ୍ଣ ବିହୀନ
ଅବ୍ୟୟ ଅଗ୍ରାହ୍ୟ ଅଗୋତ୍ର ଅବର୍ଣ୍ଣ
ଅତ୍ୟନ୍ତ ସୁକ୍ଷ୍ମ ରୁପେଣ
ନିତ୍ୟ ବିଭୁ ସର୍ବଗତ ଓ ପରମ
ସବୁରି ମୂଳ କାରଣ
ସମ୍ପୁର୍ଣ୍ଣ ଭୂତଗଣଙ୍କର କାରଣ
ଜ୍ଞାନୀ ଲଭନ୍ତି ଦର୍ଶନ
ସେହି ହିରଣ୍ୟ ଗର୍ଭ ପୁରୁଷୋତ୍ତମ
ଜଗତ କଲେ ଭିଆଣ
ଚରାଚର ପ୍ରାଣୀଙ୍କର ଅଧିଷ୍ଠାନ
ପ୍ରାଣ କୁ କଲେ ଉତ୍ପନ୍ନ
ତତ୍ପରେ ଶ୍ରଦ୍ଧା ଭାବ ହେଲା ଉତ୍ପନ୍ନ
ସେ ସ୍ରଷ୍ଟା,ସୃଷ୍ଟି କାରଣ
ଆକାଶ ବାୟୁ ତେଜ ଜଳ ପୃଥିବୀ
ଗଢ଼ି ପଞ୍ଚ ମହାଭୂତ
ମନ ଆଉ ଇନ୍ଦ୍ରିୟ ସମୁଦାୟର
କ୍ରମେ ଉତ୍ପତ୍ତି ବା ଜାତ
କ୍ରମେ ମହାକାଶ ମହା ଶୁନ୍ୟ ପଥେ
ପ୍ରଥମ ସ୍ପନ୍ଦନ ଧାରେ
ସେ' ଶବ୍ଦ ବ୍ରହ୍ମ ' ଓଁ ' କାର ଉଚ୍ଚାରିତ
ପୁଣି ବ୍ୟାପିଲା ସଂସାରେ
' ଓଁ ' ଏକାକ୍ଷର ବ୍ରହ୍ମ ପୁଣି ପରାତ୍ପର
ବେଦ ଧାରେ ଉପାସନା
ସକଳ ଅନନ୍ତ କୋଟି ବ୍ରହ୍ମାଣ୍ଡର
ଅଧିଷ୍ଠାନ ଭାବେ ଗଣା
'ଓଁ ' ଏହି ଭୌତିକ ମାୟା ଜଗତର
ଉତ୍ପତ୍ତି ସ୍ଥଳ ଭାବରେ
ଏ ସମଗ୍ର ବିଶ୍ଵ ' ଓଁ ' ରେ ଅଛି ସ୍ଥିତ
ପୁଣି ଲୀନ ହୁଏ ' ଓଁ ' ରେ ।
ପବିତ୍ର ବାଇବଲରେ ବି ଉଲ୍ଲେଖ
ପୂର୍ବେ ଶବ୍ଦ ଥିଲା ସ୍ଥିର
ସେହି ଶବ୍ଦ ଥିଲା ଈଶ୍ୱରଙ୍କ ସହ
ଶବ୍ଦ ଅଟଇ ଈଶ୍ୱର
ହଂସ ତତ୍ତ୍ଵ ସହିତ ଓଁକାର ତତ୍ତ୍ୱ
ଶରୀରରେ କାର୍ଯ୍ୟରତ
ଶରୀର,ଶବ୍ଦ,ବ୍ରହ୍ମ,ଓଁକାର ତତ୍ତ୍ୱ
ସାଧନେ ହେଉ ଆୟତ୍ତ ।
