ହଜି ଯାଉଥିବା ସ୍ବପ୍ନ
ହଜି ଯାଉଥିବା ସ୍ବପ୍ନ
ଗୋଧୂଳି ଗଭାରେ ଶଶୀବି ଉଇଁଲେ
ମନେ ପଡେ ତା'ର କଥା
ଫଗୁଣ ଆକାଶେ ବାଦଲ ଘଟିଲେ
ହୃଦୟରେ ବଢେ ବ୍ୟଥା ।
ତାକୁ ନେଇ ଥିଲା କାଲି ଏ ଜୀବନ
ଆଜି ବି ତା' ସାଥେ ବନ୍ଧା
ଆୟୁଷ ଗଲାଣି ସରିବାକୁ ଏଠି
କାହାଣୀ ରହିଛି ଅଧା ।
ମୋତେ ଲାଗୁଥିଲା ମୋ ପାଇଁ ସେ ହସ
ତା' ଓଠରେ ଥିଲା ଭରି
ଧରି ମୋର ନାଆଁ ଦିନ ରାତି ସିଏ
ହେଉ ଥିଲା ଖାଲି ଝୁରି ।
ମନ କହୁଥିଲା ମନେ ମନେ ସିଏ
ଭଲ ପାଏ ମୋତେ କେତେ
ମୁଁ ଯେ ଅବୁଝା ବୁଝି ପାରିଲିନି
ଅଭିନୟ ତା'ର ଏତେ ।