ହଜି ଯାଉଥିବା ନଈ
ହଜି ଯାଉଥିବା ନଈ
ସତରେ କଣ ହଜି ଯାଉଛି ଆୟୁଷ
ଆକାଶରେ
ପାଣିରେ
ପବନରେ
ଗଛରେ, ପତ୍ରରେ......
ତା ସହିତ ହଜି ଯାଉଛି କି
ଫୁଲଟିର ନହୁଲି ବୟସ ?
ମୋ ପାଖରେ କିଏ ଅଛି ଯେ
ମୋତେ କହିଦେବ
ମୋ ହଜିଲା ଠିକଣା,
ନିଜର ବୋଲି
ମୋ ପାଖରେ କିଛି ହେଲେ ନାହିଁ
ହସ ବି ମୋର ନୁହେଁ,
ଲୁହ ବି ତ ମୋର ନୁହେଁ,
ଜୀବନର ପଶାପାଲିରେ
ମୁଁ ଏକ ନିଖୋଜ ଝରଣା I
କେତେ ଖୋଜିବି ଆଉ
ନିଜେ ନିଜକୁ,
ସବୁ ହରେଇ ସାରିଥିବା ନିଃସ୍ୱଟିଏ
କାହାକୁ କଣ ବା କହି ପାରିବ ?
ଆଖିକୁ ଲୁହ ଆସି ଫେରିଗଲା ପରେ
ବେଦରଦୀ ସମୟ ହିଁ
ସର୍ବଶେଷ ହିସାବ କରିବ I
