ହେ ସଖା ଦିଅ ଦେଖା
ହେ ସଖା ଦିଅ ଦେଖା
କାହା ପାଇଁ ଅଭିଳାଷ ରଖିବି ମୁଁ କୁହ
ତୁମେ ଆସିଲନି ବୋଲି ମନ ମୋ ଅଥୟ ।
ଡାକି ଡାକି ତୁଣ୍ଡ ମୋର ଗଲାଣି ଶୁଖି ଶୁଖି
ସଂସାର ବନ୍ଧନ ମୋହ ତୁମ ପାଦେ ଯୋଖି ।
ଜୀବନ କାଟୁଛି ହେ ବନ୍ଧୁ ବଡ଼ କ୍ଳେଶ ପାଇ
ସମୟ କେତେ ବାକି ଲକ୍ଷ୍ୟ କେତେ ଦୂର ଜାଣି ନ ପାରଇ ।
ବସ ଆସି ମଙ୍ଗଧରି ଉବୁଟୁବୁ ମୋ ଜୀବନ ତରୀ
ହୃଦୟ ନିରତ ଚାହେଁ କରିବାକୁ ତୁମ ଚିତ୍ତ ଚୋରି ।
ଆତ୍ମୀୟ ସ୍ୱଜନ ସୁଖେ ଭୋଳ ଏହି ସୁନ୍ଦର ମହୀ
ସବୁଥାଇ ନ ଥିଲା ପରି ହୁଏନା ଆଉ ସହି ।
ଗର୍ବ ଦମ୍ଭ ଟାଣପଣ ରହିନାହିଁ ଏଇଠି କାହାର
ତୁମ କରୁଣା ଦୟା ବିନା ଚାଲେନା କାହା ସଂସାର ।
ସବୁ ଲୀଳାଖେଳା ସିନା ଚାଲେ ତୁମରି ବଳେ
ତୁମେ ପର କର କାହିଁକି ଏଇ ଭବ ଜଳେ ?
ଦୁଇ ନିଆଁ ମଧ୍ୟେ ଜୀବ ବଡ଼ ନାରଖାର
ମନେପଡ଼ିଲେ ଥରି ଉଠଇ ମୋ ବୁକୁ ଭିତର ।
ଯିବାକାଳେ ତୁମ ନାଆଁ ଥାଉ ମୋ ମୁଖରେ
ଅରଜିବା ଯଶ ନାଶ ଯିବ ଦିନେ ଏଇ ଧରାରେ ।
ବିମୁଖ ହୁଅନା ସଖା ଭଜେ ତୁମକୁ ଅନ୍ତରେ
ଦିଅ ହେ ଶରଣ ପ୍ରଭୁ ତୁମ ଶ୍ରୀପୟରେ ।