ହେ ମଧୁବାବୁ ଦେଖିଯାଅ ତୁମ ସ୍ବପ୍ନର ଉତ୍କଳ
ହେ ମଧୁବାବୁ ଦେଖିଯାଅ ତୁମ ସ୍ବପ୍ନର ଉତ୍କଳ
ଉତ୍କଳ ଗୌରବ ଧନ୍ଯ ମଧୁବାବୁ ଅବଦାନ ତୁମ
ଚିରସ୍ମରଣୀୟ ଜାତିପ୍ରାଣ ତୁମେ ଜ୍ଯୋତି ଅମ୍ଳାନ,
ସୁକବି ଲେଖକ ଥିଲ ସ୍ବାଭିମାନୀ ଖଣ୍ଡ ବିଖଣ୍ଡିତ
ଓଡିଶା ରାଇଜ ସ୍ବତନ୍ତ୍ରତା ପାଇଁ ଦେଲ ଆହ୍ୱାନ ।
ଅଗ୍ରଦୂତ ତୁମେ ଅନନ୍ଯ ସଂଗ୍ରାମୀ ଜାତି ନନ୍ଦିଘୋଷ
ଆଗୁସାର ପାଇଁ ସାଜିଲ ସାରଥି ମୁଖ୍ଯ ପୁରୋଧା,
ହୋଇ ସର୍ବସ୍ବାନ୍ତ ସାଧିଛ ଉତ୍କର୍ଷ ଭୀଷ୍ମ ପିତାମହ
ପ୍ରତିପାଦୀ ଯୁକ୍ତି ବିସ୍ତାରି ଦିଗନ୍ତେ ନୂତନ ସ୍ପର୍ଦ୍ଧା ।
ଗଢିଛି ଉତ୍କଳ ଆପଣା ହାତରେ ତାରକସୀ ସୂକ୍ଷ୍ମ
ଉତ୍କଳ ଟାନେରୀ ଚମଡାର ଯୋତା ଆକର୍ଷଣୀୟ,
ହେ ମଧୁସୂଦନ ଅପୂର୍ବ ପ୍ରେରଣା ରଚିଛି ଧୀଶକ୍ତି
ଜାତିର ଉତ୍ଥାନ ନବ କୀର୍ତ୍ତିମାନ ସ୍ବର୍ଣ୍ଣ ଅଧ୍ଯାୟ ।
ଜାଗି ଉଠୁ ଜାତି ଦୃଢ ଇଚ୍ଛାଶକ୍ତି ପ୍ରତ୍ଯୁତ୍ପନମତି
ହେଉ ସ୍ବାବଲମ୍ବୀ ନ ପ୍ରସାରୁ ହସ୍ତ ନ ପାତୁ ଥାଳ,
ଥାଇ ସବୁକିଛି ପ୍ରାଚୁର୍ଯ୍ୟ ସମ୍ବଳ କାହିଁକି ଗରୀବ
ହେ ମଧୁବାବୁ ଦେଖିଯାଅ ତୁମ ସ୍ବପ୍ନର ଉତ୍କଳ ।
-----
