ହେ ଈଶ୍ୱର
ହେ ଈଶ୍ୱର
ନାହିଁ ଆଦି ନାହିଁ ଅନ୍ତ ଯେ ବିଶ୍ୱବ୍ୟାପକ
ସର୍ବଶକ୍ତିମାନ ସୃଷ୍ଟି ସ୍ଥିତି ବିନାଶକ |
ଅଣୁ ପରମାଣୁ ଅନ୍ତରୀକ୍ଷ ଅଛ ପୂରି
ଆତ୍ମାରୂପେ ପ୍ରଭୁ ସର୍ବ ଘଟରେ ବିହରି |
ପରଂବ୍ରହ୍ମ ପରାତ୍ପର ଦୟାମୟ ହରି
ତଵ ମହିମା ବର୍ଣ୍ଣନ କିଏ ପାରେ କରି |
ଯା ଆଦେଶେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ
ଯାର ଆଜ୍ଞା ଶିରେ ବହି ବହଇ ମରୁତ |
ଜଳଧି ନଡିଏଁ କୂଳ ଚଳେନା ପର୍ବତ
ଶସ୍ୟ ଫଳ ଦାନ କରେ ଉଦ୍ଭିଦ ଜଗତ |
ଅଗ୍ନି ଦିଏ ତାପ ସୂର୍ଯ୍ୟ ବିତରେ ଆଲୋକ
ନିୟମେ ଦିବସ ରାତ୍ର ଚାଲେ ଋତୁଚକ୍ର |
ଇଛାମୟ ତୋ ଇଚ୍ଛାରେ ଚଳେ ଚରାଚର
ତୋ ଇଙ୍ଗିତ ବିନା ବୃକ୍ଷେ ହଲେନା ପତର |
ହେ ଈଶ୍ୱର ସଦା ବିରାଜିତ ମୋ ଅନ୍ତର
ଅନ୍ତର୍ଯ୍ୟାମୀ ନାଥ ହରି କରୁଣା ସାଗର |
ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ
ସତ୍ୟ ପଥେ ଧର୍ମ ପଥେ ନିଅ ଭଗବାନ |
ପରୋପକାର ସାଧନେ ଅଙ୍ଗେ ଦିଅ ଶକ୍ତି
ହେ ଈଶ୍ୱର ପାଦପଦ୍ମେ ଏତିକି ବିନତି |