ହେ ଗୁରୁ
ହେ ଗୁରୁ
ହେ ଚିର ନମସ୍ୟ ପୂଜ୍ୟ ବନ୍ଦନୀୟ
ଘେନ ମୋର ପ୍ରଣିପାତ,
ତବ ପାଦ ତଳେ ନିତି ମୋ ମସ୍ତକ
ନଇଁ ଯାଉ ହେ ଦାୟକ ।
ତୁମ୍ଭ ଜ୍ଞାନାଞ୍ଜନ ପ୍ରଦୀପ ଆଲୋକେ
ମୋ ଅଜ୍ଞାନ ହେଉ ଦୂର,
ଅମା ଅନ୍ଧକାର ଅବାଟେ ନ ପଡୁ
କେବେ କେଉଁ ପାଦ ମୋର ।
ହେ ମାର୍ଗ ଦର୍ଶକ ପଥ ପ୍ରଦର୍ଶକ
ନର ରୂପି ନାରାୟଣ,
ତବ ଆଶୀର୍ବାଦ କରୁଣା ଆଶିଷେ
ଜିତିବି ଜୀବନ ରଣ ।
ପୂଜା କି ପ୍ରଣତି ନୁହେଁ ଗୋଟେ ଦିନ
ଗୁରୁ ନାମେ ପୂଜା ପାଇଁ,
ଫୁଲ,ଚନ୍ଦନ କି ଅଗରୁ କର୍ପୂର
ଦେହେ ତବ ବୋଳି ଦେଇ ।
ଏହି ଧ୍ରୁବ ସତ୍ୟ ରହିଛି ରହିବ
ହେ ଧୀମାନ କାରିଗର,
ତୁମ୍ଭେ ଗୁରୁ ବ୍ରହ୍ମା ବିଷ୍ଣୁ ଅବତାର
ଗୁରୁ ତୁମ୍ଭେ ମହେଶ୍ୱର ।
ହେ ଗୁରୁ ଗୌରବ ଜ୍ଞାନେନ୍ଦ୍ରିୟ ତୁମ୍ଭେ
ପ୍ରତି ଛାତ୍ର ମନ ପ୍ରାଣେ,
ଗୁରୁ ସମ କେହି ମହୀ ତଳେ ଆନ
ଶ୍ରେଷ୍ଠ ନାହିଁ ସୃଷ୍ଟି କୋଣେ ।