ହେ ବନ୍ଧୁ ମମ
ହେ ବନ୍ଧୁ ମମ
ହେ ବନ୍ଧୁ, ପ୍ରିୟ ମମ
ଆତ୍ମୀୟ ,ପ୍ରାଣର ସୋଦର,
ଆଉ କେତେଦିନ ରଚିବ ତୁମେ
ପ୍ରେମର ଆସର,
ମଣିଷ ଯେଉଁଠି ଅଭାବେ ମରଇ,
ଦୈନ୍ଯ ଯାତନା ପ୍ରାଣକୁ ପୀଡଇ,
ପ୍ରତାପୀର କୋପେ କୃଷି ଉଜୁଡଇ,
ଋଣଭାରେ କୃଷକ ନିତି ମରଇ,
ତଥାପି,ବନ୍ଧୁ ହେ ମମ...
ଚାଲିଛ ପ୍ରୀତିର ଗଜଲ ଗାଇ।
ମାଟିର ମଣିଷ ତୁମେ
ମାଟିରେ ମିଶିବ,
ମାଟିର ଆହ୍ୱାନ ଛାଡି
କେତେଦିନ ପ୍ରେମରେ ରସିବ,
ହେ ବନ୍ଧୁ ସଖା ପ୍ରବର,
ଦେଖ ବାରେ ଚିତ୍ର ସମାଜର,
ରୁଟି ଖଣ୍ଡେ ଲାଗି କଳହ ରତ
ଭିକାରିର ଆର୍ତ୍ତ ଚିତ୍କାର,
ଏପଟେ ମହାମାରୀ ଅଣଆୟତ୍ତ,
ଜୀବନ ଜୀବିକା ଲାଗି
ମଣିଷ ହେଉଛି ହନ୍ତସନ୍ତ,
ପାଷାଣ୍ଡ ପାମର ଏଠି ଦଣ୍ଡମାରେ
ସମାଜ ବଡଦାଣ୍ଡରେ ,
ତଥାପି ବନ୍ଧୁ ହେ ମମ,
ବାଉଳା ତୁମେ କୃଷ୍ଣା କବରୀରେ ।
ତୁମେ ତ ଦେଖିଛ ଖାଲି
ପ୍ରୀୟା ନୀବି ବନ୍ଧନ ,
ପ୍ରେୟସୀର ଅଗଣାରେ
ମଳୟ ପବନ,
ଚଇତାଳିର ଉଷ୍ଣଚୁମ୍ବନ,
ପ୍ରେମିକାର ମୀନନୟନ,
ସ୍ବର୍ଣ୍ଣମହିରେ
ଆଜାନୁଲମ୍ବିତ କୃଷ୍ଣ କବରୀର ମୋହନ,
ଦେଖିଛ କି କେବେ ବନ୍ଧୁ ହେ ମମ,
ପେଟଲାଗି ମାଆ ଏଠି
ନିଜ ଛୁଆକୁ ବିକଇ
ସୁନାରଫସଲକୁ ପଙ୍ଗପାଳ ଲୋଟଇ,
ଜୀଇଁବା ଲାଗି ମଣିଷ
ଦାଦନ ଖଟଇ,
ଖାଦ୍ୟାଭାବେ ଅକାଳେ ଯୌବନ ହଜଇ,
ଦାରିଦ୍ର୍ଯର ଉଗ୍ରତାରେ
କିଶୋରୀର ଛାତିସରସୀରେ
ମଦନର ପଦ୍ମକଢି ବି ଫୁଟିନାହିଁ,
ତଥାପି ହେ ବନ୍ଧୁ ତୁମେ
କଳ୍ପଲୋକରେ ସ୍ବପ୍ନ ତୁମେ ରଚଇ,
ଏ ମାଟିକୁ ନକର ପ୍ରତ୍ୟାଖ୍ୟାନ
ବାସ୍ତବତାରୁ ନ କର ପଳାୟନ
ମାଟିରଭାଷାକୁ କର ଚୟନ,
ଏଡି ନଯାଅ ବନ୍ଧୁ ମମ
ମାନବର ଆକୁଳ ନିବେଦନ,
ସୃଷ୍ଟି ତବ ସୃଜୁଥାଉ
ହୃଦେ ଶାଶ୍ବତର ସ୍ପନ୍ଦନ,
ମାନବିକତାର ଶଙ୍ଖନାଦେ
ଲେଖନୀ ହେଉ ତବ ମହୀୟାନ ।