ହେ ଅର୍ଘ୍ୟ ଐତିହ୍ୟ
ହେ ଅର୍ଘ୍ୟ ଐତିହ୍ୟ
ଇତିହାସ,ତୁମେ ବିଗତ ଐତିହ୍ୟ
କେବେ ସ୍ୱର୍ଣ୍ଣମୟୀ,
କେବେ ପୁଣି ବିଭୀଷିକା ।
ବକ୍ଷରେ ତୁମରି ସ୍ବର୍ଣ୍ଣାଭ ଧୂମ୍ରାଭ
ଆଲୋକ ଅନ୍ଧାର
ଭବିଷ୍ୟତ ଭାଗ୍ୟରେଖା ।।
କେବେ ତୀକ୍ଷ୍ଣ କେବେ କୁଟିଳ କଟାକ୍ଷ
କେବେ ଶୌର୍ଯ୍ୟ ବୀର୍ଯ୍ୟ
ପରାକ୍ରମର କାହାଣୀ ।
ବିଦ୍ରୋହ ବିପ୍ଳବ ତ୍ୟାଗ ତର୍ପଣର
ଲୁହ ଲହୁ ଭରା
ନୀରବ ନିସ୍ପନ୍ଦ ବାଣୀ ।।
ବୀର ସୈନିକର ଦେଶ ମାତୃକାର
ଗର୍ବ ଗଉରବ
ବିଜୟର ଟୀକା ପାଇଁ ।
ନବ ବଧୂ ସାଜେ ଶୂନ୍ୟ ସୀମନ୍ତିନୀ
ହେ ଅର୍ଘ୍ୟ,ଐତିହ୍ୟ
କୁହ ତୁମେ,କିଏ ଦାୟୀ ??
କୁରୁକ୍ଷେତ୍ର ରଙ୍ଗେ ବିଭତ୍ସ ବିଦୀର୍ଣ୍ଣ
ଚକ୍ରୀ ଚକ୍ରବ୍ୟୁହ
ନିର୍ଦ୍ଦୋଷର ପ୍ରାଣଦଣ୍ଡ ।
ଉତ୍ତର ଦିଅ ହେ ଅନ୍ଧ ଇତିହାସ
ଧର୍ମପଦ ବଧ
ନୁହେଁ ଘୃଣ୍ୟ ଅପରାଧ !!
ଅନ୍ଧ ଇତିହାସ ନୁହଁ ତୁମେ ବନ୍ଧୁ
ଧର୍ମାନ୍ଧ ମଣିଷ
ବହୁରୂପୀ ବ୍ୟଭିଚାର ।
ସ୍ଵର୍ଣ୍ଣାକ୍ଷରୀ ତୁମ ବଳିଷ୍ଠ ଭିତ୍ତିକୁ
ସଂକୀର୍ଣ୍ଣ ପଣରେ
କରେ ନ୍ୟୂନ ଅବିଚାର ।।
ବଳିଷ୍ଠ ଜାତିର କୃତି ସଂହତିର
ତ୍ୟାଗ,ବଳିଦାନ
ନିଷ୍ଠା ନୈତିକତା ଫଳ ।
ଧର୍ମରେ ଧର୍ମରେ କର୍ମରେ କର୍ମରେ
ତୁମ ପୃଷ୍ଠଭୂମି
ହୁଏ ସ୍ବର୍ଣ୍ଣାଭ ଶୀତଳ ।।
ଜାତି ଇତିହାସ ଭାସ୍ୱର ପ୍ରୟାସ
ବୀର,ବୀରାଙ୍ଗନା
ଏକନିଷ୍ଠ ବଳିଦାନ ।
ବ୍ୟକ୍ତିଗତ ସ୍ୱାର୍ଥ କଲେ ପ୍ରତିହତ
ସ୍ୱର୍ଣ୍ଣ ଇତିହାସ
ପାଇବ ଜାତି,ଅମ୍ଳାନ ।।