ହାରିବନି କାଶତଣ୍ଡୀ
ହାରିବନି କାଶତଣ୍ଡୀ
ଭାଦ୍ରବ ମାସର ଏ କର୍ମମୟ ଜୀବନେ
ଆଖି ଯେବେ ପଡେ ,
ତୋରି କାଶତଣ୍ଡୀର ଅଗଣାରେ
ନଜରକୁ ଆସେ ଶ୍ୟାମଳ ରାଣୀ ମଥାରେ
ରହିଥିବା
ଶୁଭ୍ର ବର୍ଣ୍ଣର ଅତି ନିଆରା ଓଢଣୀ ଟି ଉପରେ
ମନ ଲାଖିଯାଏ ,
ପଲକ ମୁଦିଯାଏ ,
ସ୍ବପ୍ନ ବି ଆସେ ଶେଯ ପାରି ରହିଯାଏ ।
କାଶତଣ୍ଡୀ ଫୁଲ ଯେବେ ବି
ମୁଠାଏ ସପନ
ଆଖିରେ ଭରି ,
ସଳଖି ଛିଡା ହେଉଛି
ନିର୍ଦ୍ଦୟ ବାଆ ନୁଆଇଁ ଦେଉଛି ,
ଦେଇ ଏକ ଶକ୍ତ ପ୍ରହାର ।
ଆତ୍ମସମ୍ମାନ ଭରା ଫୁଲଟି
ଫିଙ୍ଗି ବି ପାରୁନି
ସ୍ୱପ୍ନ ମୁଠାକୁ
କି
ଗୋଟାଇ ପାରୁନି ଶକ୍ତି ସଳଖି ଛିଡା ହେବାକୁ
ଏ ତ ଏକ ନିଦର୍ଶନ
ଦୁର୍ବଳ ଉପରେ ସବଳର ଅତ୍ୟାଚାରର
ତଥାପି ହାରିନି କି ହାରିବନି
ଏ କାଶତଣ୍ଡୀ ।
ସର୍ବଂସହାର କୋଳକୁ
ଶୁଭ୍ର-ଶ୍ୟାମଳ ତୂଳୀରେ
ଚିତ୍ରିତ କରିବା ପାଇଁ
ଦେହରେ ଲାଗୁଛି ତାର ରାସ୍ତାର ଧୂଳି ,
ମଳିନ ପଡିଯାଉଛି ତାର ଶୁଭ୍ର ବର୍ଣ୍ଣ
ଚାତକ ପରି ଚାହୁଁଛି ଆକାଶକୁ
କହୁଛି ......
ଦେ ଢାଳି ଦେ ତୋର ବାରିଧାରା
ଧୋଇଯାଉ ମୋର ଦେହ ,
ମିଟି ଯାଉ କଳଙ୍କ ,
ପାଇଯାଏ ମୁଁ ମୋର ପୁରୁଣା ବର୍ଣ୍ଣ
ହୋଇଯାଏ ପବିତ୍ର ।
କେତେଥର ବେରଙ୍ଗ ହେଉଛି
ପୁଣି
କେଇଟା ବାରିଧାରାରେ କରୁଛି ସ୍ନାନ
ଲୁକ୍କାୟିତ ପବିତ୍ରତାକୁ ,
ଦୁନିଆକୁ ଦେଖାଉଛି ,,,
ତଥାପି ଦେଉଛି ବାରମ୍ବାର ଅଗ୍ନିପରୀକ୍ଷା
ନିଜକୁ ଶୁଦ୍ଧ ପ୍ରମାଣ କରିବା ପାଇଁ ।
ଏ ତ ଆଉ ଏକ ନିଦର୍ଶନ .....
କେତେଟା ଅବଳା ଉପରେ
ଦାନବର ଅତ୍ୟାଚାରର ।
ତଥାପି ହାରିନି କାଶତଣ୍ଡୀ
କି ହାରିବନି ,
ସଳଖି ଉଠିବାର ପ୍ରୟାସ ,
ଶୁଭ୍ରତାକୁ ଜାବୁଡି ଧରିବାର ଅଭ୍ୟାସ
କେବେ ବି ଲିଭିନି
କି ଲିଭିବନି ,,
ଏ କାଶତଣ୍ଡୀ କେବେ ବି ହାରିବନି ...।