ଗୁରୁଦେବ ନମସ୍ତୁତେ
ଗୁରୁଦେବ ନମସ୍ତୁତେ
ବାପାବୋଉ ଆମ ପ୍ରାରମ୍ଭିକ ଗୁରୁ
ତାଙ୍କ ପାଦେ ନୁଏଁ ମଥା
ବିଦ୍ୟାଳୟ ଶିକ୍ଷା ପୂର୍ବରୁ ତାଙ୍କଠୁ
ଶିଖି ଥାଉ ବହୁ କଥା ।
ଜନମୁଁ ଏଯାଏଁ କେତେ କଷ୍ଟ ସିଏ
କରିଛନ୍ତି ଆମ ପାଇଁ
ବିପଦେ ଆପଦେ ଦେଇଥା'ନ୍ତି ଶିକ୍ଷା
ପାଖେ ପାଖେ ସଦା ରହି ।
ବାପା ବୋଉ ପରି ବିଦ୍ୟାଳୟେ ପରା
ଗୁରୁଜୀ ପଢ଼ାନ୍ତି ପାଠ
ଦ୍ୱିତୀୟ ଗୁରୁ ସେ ତାଙ୍କ ପାଖେ ପଢ଼ି
ବଡ଼ ହୁଏ ଦିନେ ଚାଟ ।
ଓଦା ମାଟି ପିଣ୍ଡ ପରି ଶିଶୁଥାଏ
ବିଦ୍ୟାଳୟ ଯେବେ ଯାଏ
ଗୁରୁଙ୍କ ସାନ୍ନିଧ୍ୟ ପାଇ ପରା ଶିଶୁ
ସୁନ୍ଦର ମୂର୍ତ୍ତୀଟେ ହୁଏ ।
ଗୁରୁଙ୍କ ପାଖରେ ଶିଷ୍ୟ ତ୍ରୁଟି କଲେ
ପରିହାସ କରନ୍ତିନି
ବୁଝିବା ଯାଏ ମୁଁ ବୁଝାଇ ଦିଅନ୍ତି
ପାଠ ପାଇଁ ମାରନ୍ତିନି ।
ଗୁରୁ ରାମକୃଷ୍ଣ ଆଶିଷରେ ଦିନେ
ବିବେକାନନ୍ଦ ସୁଶିଷ୍ୟ
ସ୍ଵଳ୍ପ ବୟସରେ ଜ୍ଞାନ ଗାରିମାରେ
ଜୟ କରିଥିଲେ ବିଶ୍ଵ ।
ଯେତେ ବଡ଼ ବାଧା ଅସୁବିଧା ଆସୁ
ଦେଲେ ଗୁରୁ ନାମ ଧରି
ବିପଦ କୁଆଡ଼େ ଯାଏରେ ଉଭେଇ
ହେଉ ସୁବିଧାରେ ପାରି ।
ସୁପଥ ଦେଖାନ୍ତି ଗୁରୁ ସଦାବେଳେ
କେହି ନୁହେଁ ତାଙ୍କ ଭଳି
ଚନ୍ଦନଠୁ ବହୁଗୁଣେ ମୂଲ୍ୟବାନ୍
ଗୁରୁଙ୍କର ପାଦ ଧୂଳି ।
ଗୁରୁଙ୍କର ଗାଳି ତାଙ୍କ ନାଲି ଆଖି
ହିତ ଆମ ପାଇଁ ସତେ
ଗୁରୁ ଅବଦାନ ସତରେ ମହାନ
ଗୁରୁଦେବ ନମସ୍ତୁତେ ।
