ଗୁରୁ ଶିଷ୍ୟ ଶିକ୍ଷକ ଛାତ୍ର
ଗୁରୁ ଶିଷ୍ୟ ଶିକ୍ଷକ ଛାତ୍ର


କାହା ନାମ ରାମ ରଖିଦେଲେ ସିଏ ହୋଇ ଯାଏନା ଶ୍ରୀରାମ,
କୃଷ୍ଣ ନାମ ଧରି ଡାକିଲେ କାହାକୁ ହେବନାହିଁ ସେ ଶ୍ରୀକୃଷ୍ଣ ।
ଲକ୍ଷ୍ମଣ ନାୟକ ଦେଶପାଇଁ ଲଢ଼ି ଫାଶୀଦଣ୍ଡ ପାଇଥିଲେ ,
ଆଉ ଜଣେ ସେହି ନାମଧାରୀ ଫାଶୀ ପାଇଥିଲା ଦୁଷ୍କର୍ମରେ ।
ଗୁରୁଥିଲେ ଦ୍ରୋଣ ଗୁରୁ ବି ବଶିଷ୍ଠ ଆଉ କେତେ ମୁନି-ଋଷି,
ଶିଷ୍ୟ ପାଇଁ ସବୁ ତ୍ୟାଗକରି ସିଏ ଜ୍ଞାନ ଦେଉଥିଲେ ବସି ।
ଶିଷ୍ୟଥିଲେ ତାଙ୍କ ଗଳାର ରତନ ଗୁରୁ ଜୀବ ସେ ଜୀବନ,
ଗୁରୁ ପରମ୍ପରା ଗୁରୁକୁଳ ପ୍ରଥା ଆମ ଦେଶରେ ପ୍ରାଚୀନ ।
ଆଧୁନିକ ଯୁଗ ହାଲୋ ହାଏ ଚାଲେ ସବୁ ତ ସ୍ୱାର୍ଥରେ ବନ୍ଧା,
କିଏ ଗୁରୁ-ଶିଷ୍ୟ ପରିଚୟ ଦେଲେ ପରମ୍ପରାକୁ ତ ନିନ୍ଦା ।
ବିଦ୍ୟାଳୟ ଏକ ବ୍ୟବସାୟ କେନ୍ଦ୍ର ଶିକ୍ଷକ ଚାକିରୀ କଲେ,
ପାଠପଢ଼ା ଛାଡ଼ି ଆନ୍ଦୋଳନ କରି ଛାତ୍ରଙ୍କର ଶତ୍ରୁ ହେଲେ ।
ଏକଲବ୍ୟ ପରି ଛାତ୍ର ବି ଅଛନ୍ତି ସାଧନା କରନ୍ତି ଘରେ,
ଘରୋଇ ଶିକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ଶିକ୍ଷାଚାଲେ ଭାଣ୍ଡାମିରେ ।
ଶିକ୍ଷକ ଦିବସେ ମିଛଗୁରୁ ପୂଜା ମିଛ ପ୍ରଶଂସା ବି ଚାଲେ,
ବର୍ଷଯାକ ପିଲେ ବର୍ଷଣ କରନ୍ତି ସତକୁ ଶୁଣିବ କିଏ ?