ଗୁରୁ ସବୁଠୁ ଉର୍ଦ୍ଧ୍ୱରେ
ଗୁରୁ ସବୁଠୁ ଉର୍ଦ୍ଧ୍ୱରେ


ପ୍ରଥମ ଅକ୍ଷର ଶିଖେଇଛ ତୁମେ
କୁନି ହାତରେ ମୋ ଖଡ଼ି ଧରେଇ,
ବଡ଼ ହେଇ ଆଜି କବି ମୁଁ ବୋଲାଏ
ଗୁରୁଦେବ ଖାଲି ତୁମରି ପାଇଁ ।
ଟିକି ଓଠରେ ମୋ ଶବଦକୁ ଭରି
ଚକ କଳ ଅଖ ଶିଖେଇ ଥିଲ,
ଆଜି ବକ୍ତା ନାମେ ପରିଚିତ ମୁହିଁ
ଦେଉଛି ମଞ୍ଚରେ ଭାଷଣ ଭଲ ।
ଯାଉଥିଲି ଯେବେ ଅବାଟରେ ମୁହିଁ
ଖାଉଥିଲି ତୁମ ହାତରୁ ମାଡ,
ଆଜି ମୁଁ ପୁଲିସ୍ ଚାକିରି କରୁଛି
ଚୋରଖଣ୍ଟକୁ ମୁଁ କରେ ସାବାଡ ।
ଅସୁସ୍ଥ ବାରତା ଶୁଣି ଗୁରୁ ତୁମେ
ଆସୁଥିଲ ଆମ ଘରକୁ ଧାଇଁ,
ତୁମ ଆଶିଷରେ ଡାକ୍ତର ହୋଇଛି
ରୋଗୀଙ୍କର ସେବା କରୁଛି ମୁହିଁ ।
ମିଛ କହିଲେ ମୁଁ କାନ ଧରି ମୋର
ସତ କହିବାକୁ ବୁଝାଉ ଥିଲ,
ବିଚାରପତି ମୁଁ ବିଚାର କରୁଛି
ନ୍ୟାୟ ଅନ୍ୟାୟକୁ କରି ତଉଲ ।
ଯିଏ ଯେତେ ବଡ଼ ହୋଇଅଛି ଆଜି
ବୈଜ୍ଞାନିକ ଅବା ବୀର ଯବାନ,
କେହି ପାରିବେନି ଅସ୍ବୀକାର କରି
ସବୁଠୁ ଉର୍ଦ୍ଧ୍ୱରେ ଗୁରୁର ସ୍ଥାନ ।