STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର

1 min
401

ଗୁରୁ ବ୍ରହ୍ମା

ସେ ସୃଷ୍ଟି କରନ୍ତି ଶିଷ୍ୟକୁ

ତା ବିଶୁଦ୍ଧ ଚରିତ୍ରକୁ,

ବୁଦ୍ଧି, ବିବେକ ତଥା

ସୃଜନଶୀଳତାର ବାସ୍ତବ ଚିତ୍ରକୁ

ଗଢ଼ି ତୋଳନ୍ତି 

ସମାଜକୁ ସାମ୍ନା କରିବାର ଶକ୍ତିକୁ। 

କରନ୍ତି ଶିଷ୍ୟ ଭିତରେ ସକଳ ସଦଗୁଣର ବିକାଶ

ତଥା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ

ମନୁଷ୍ୟତ୍ୱର ଉଦ୍ରେକ କରାଇ

ଏକ ଜୀବନ୍ତ ଜୀବନ ଭିତରେ

ଗୁରୁ କରିପାରନ୍ତି ଏକ ନିରୂତା ପ୍ରାଣର ଉନ୍ମେଷ,

ବର୍ତ୍ତମାନର ରୂପେଲି ଭୂମିରେ 

ଗୁରୁ ନିର୍ମାଣ କରନ୍ତି ଭବିଷ୍ୟର ଏକ ସ୍ୱର୍ଣିମ ଉଆସ। 


ଗୁରୁ ବିଷ୍ଣୁ

ସେ ପାଳନ କରନ୍ତି ଶିଷ୍ୟର 

ବିକାଶଶୀଳ ଜ୍ଞାନକୁ

ହାତ ଧରି ବାଟ କଢାଇ ନିଅନ୍ତି

ଅନ୍ଧାରରୁ ଆଲୋକ ଦିଗକୁ

ଧନ୍ଦି ହେଉଥିବା ଭାଵନା ଭିତରେ

ଖୋଲି ଦିଅନ୍ତି ଯେତେ ସବୁ

ଅସମାହିତ ଅଡ଼ୁଆ ସୂତାକୁ। 

ପୋଷିତ କରନ୍ତି

ଶିଷ୍ୟର ଦେହ ମନ ଆତ୍ମା 

ତଥା ବୌଦ୍ଧିକ ଅବୟବ ମାନ

ଆବଶ୍ୟକ ଜୀବସାର ଦେଇ

ସେ ଉର୍ବର କରନ୍ତି 

ମସ୍ତିଷ୍କର ଯେତେ ଶୂନ୍ୟସ୍ଥାନ,

କେବେ ମାଆ ଟିଏ ହୋଇ କୋଳେଇ ନିଅନ୍ତି

ତ କେବେ ବାପା ହୋଇ କାନ ଧରି କରନ୍ତି ଶାସନ।


ଗୁରୁ ମହେଶ୍ୱର

ସଂହାର କରନ୍ତି ଶିଷ୍ୟ ଭିତରର 

ଯେତେ ସବୁ ବିକାର ଓ ତୁଛା ଅନାଚାର

କ୍ରୋଧାଗ୍ନିରେ ଭସ୍ମୀଭୂତ ହୁଏ

ପୁଞ୍ଜିଭୂତ ସକଳ ସଂଶୟ ଓ ବାଜେ କୁସଂସ୍କାର। 

କେବେ ଜଟା ଖୋଲି ଢ଼ାଳି ଦିଅନ୍ତି

ଜ୍ଞାନ ଗଙ୍ଗା ପିପାସୁ ଶୁଖିଲା ଭୂଇଁରେ

କେବେ ବଧ କରନ୍ତି ଛାତ୍ର ଜୀବନରେ ଆସୁଥିବା

ଅନେକ ପ୍ରତିବନ୍ଧକକୁ ଅନାୟାସରେ। 

ତାଙ୍କ ଡମ୍ବରୁ ନାଦରେ 

ତୁଟି ଯାଏ ଭିତରର ଯେତେ ସବୁ ଆଳସ୍ୟ ଜଡ଼ତା

ସେ ପାଦଧୁଳି ବୋଳିଲେ ମଥାରେ

ପଙ୍ଗୁ ହୁଏ ତ୍ରିଜଗତ ଜିତା। 

ରୁଷ୍ଟ ହେଲେ ଶିଷ୍ୟ ଭୟେ ପଶ୍ଚାତାପ କରେ

ତୁଷ୍ଟ ହେଲେ ଭିଡ଼ି ଧରନ୍ତି ଅତି ସ୍ନେହାଦରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract