ଗୋଲାପୀ ବୋମା
ଗୋଲାପୀ ବୋମା
ମୁଁ ତମକୁ ମିଛ କହିଥିଲି,
ତମେ ମୋତେ ମନ ଦେଇଦେଲ।
ମୁଁ ତମକୁ ସତ କହିଦେଲି,
ତମେ ମୋତେ ପ୍ରତାରିତ କରିଦେଲ।
ମୁଁ ତମକୁ ମାଗିଥିଲି ସାତ ରଂଗ ଫଗୁଣ।
ତମେ ମୋତେ ଦେଇଗଲ ଲୁହର
ଆଷାଢ଼ ଓ ଶ୍ରାବଣ ।
ମୁଁ ଖୋଜୁଥିଲି,
ମୃଗୁଣୀ ନାଭିରୁ କସ୍ତୁରୀ ର ସନ୍ଧାନ।
ସାତତାଳ ପାଣି ତଳୁ ମୁକ୍ତାର,
ଜାଜୁଲ୍ୟମାନ ଅଵସ୍ଥାନ।
ମୁଁ ଭାବିଥିଲି ତମେ ରଜନୀଗନ୍ଧାର
ବାସ।
ମୁଁ ଭଲ ପାଉଥିଲି ଆନତ କୃଷ୍ଣଚୂଡାର
ବଧୁଲି ଓଠର ହସ।
ତମେ ଖୋଜୁଥିଲ ମୋହଜ ସୁନା ଖଣି।
ତମେ ଥିଲ ଗୋଟେ ମାୟାର ସୁନା ହରିଣୀ। ତମ ପାଶେ ଥିଲା,
ପଳାଶ କୁସୁମର ଦର୍ପିତା ଯୌବନ।
କଳ୍ପିତ ପରୀ ରାଇଜର ଅହଂକାରୀ
ଜେମାମଣୀ ମନ।
ମୁଁ ଦେଖିନେଲି ତମ ଓଠେ ପ୍ରହେଳିକାମୟୀ
ମୋନାଲିସା ହସ ଚିହ୍ନ।
ତମେ ଜାଣି ଗଲ ମୁଁ କଳା ହୀରା ର
ପାଷାଣ ଖଣି।
ତମେ ଭାବିନେଲ ମୁଁ ଅଭିଶପ୍ତ
ବୃହନଳା ନାଚୁଣୀ।
ତମେ ଧରିନେଲ ମୁଁ ଅଷ୍ଟବକ୍ର ପ୍ରାପ୍ତ
ଯୌବନ।
ତମେ ଆଶଙ୍କା କଲ କାଳେ ଭୀଷଣ
ପ୍ରତିଜ୍ଞା ସମ ଟାଣ ମୋ ମନ।
ତମେ ଗୋଲାପୀ ବୋମା ପକାଇ କଲ
ଦହନ। ଜାଣି ନ ଥିଲି ମୁଁ ହୁତୁ ହୁତୁ
ନିଆଁର ଏତେ ଦହନ ।
ମୁଁ ପଚାରିବାକୁ ଚାହୁଁ ନାହିଁ!
ଏ'କି କଲ ତମେ ଏ'କି କଲ।
ତମେ ଗୋଲାପୀ ବୋମା ପକାଇ,
କାହିଁକି? ବସନ୍ତରେ ପ୍ରଚାରିତ ହେଲା
ମୋ ଯୌବନ। ଇନ୍ଦ୍ରଧନୁ ରଂଗ ର ମୋ
ସପନ ମଧୁବନ, ନୀଳ ଆକାଶ ସମ,
ସବୁଜ ମୋ ମନ ବନ,
ଜାଲି ଦେଲ, ତମେ ଜାଳି ଦେଲ ।
ମୁଁ ଏବେ ଭାବୁଛି ବସି ନୀରବ, ନିଶ୍ଚଳ
ଯାହା କଲ ତମେ ଭଲ କଲ।
ଉଛୁଳା ନଈରେ ଡଙ୍ଗା ମୋ ବୁଡିଲା
ଆଗରୁ, କୂଳରେ ତା'କୁ ତମେ ବାନ୍ଧି
ଦେଲ।
ଦିକ୍ ଦିକ୍ ଜ୍ବଳନରେ ଦଗ୍ଧିଭୂତ ହେବା
ପୂର୍ବରୁ, ଗୋଲାପୀ ବୋମା ପକାଇ
ତମେ ମିଟେଇଦେଲ।
ଗୋଲାପୀ ବୋମା ର କଷଣ, ଦାରୁଣ
ଯନ୍ତ୍ରଣା ରୁ ତମେ ମୋତେ ମୁମୁକ୍ଷା
ଦେଇଦେଲ ।