ଅଳସୀ
ଅଳସୀ
ରୂପେଲି ଜହ୍ନ ଆଲୁଅରେ ତୋର
ସୁନେଲି ସୁନ୍ଦର ମୁହଁ,
ରୂପ ରାଇଜର ରାଜକୁମାରୀ ତୁ
ଅଳସୀ ନଈର ସୁଅ ।
ଆକାଶ ଛାତିରେ ଲହଡ ଭାଂଗଇ
ତୋର ନୀଳ ରଂଗ ଶାଢୀ,
ଗୋରା ଦେହରେ ତୋ ବିଜୁଳି ଚମକ
ମୋ ଛାତିରେ ଘଡଘଡି ।
ଗଢିବାରେ ବିହି ଊଣା ତ କରିନି
ତୋର ରୂପ ତୋର ଅଂଗ,
ସପନେ ତୋ ଛବି ଆଙ୍କୁଆଙ୍କୁ ମୋର
ସରିଯାଏ ସବୁ ରଂଗ ।
ଦିନରେ ମୋହର ଆଖି ଆଗେ ଥାଉ
ରାତିରେ ସପନ ହେଉ,
ନିଦ ଭାଂଗେ ମୋର ତୋ କେଶ ଛୁଆଁରେ
ରାତି ମୋର ପାହୁ ପାହୁ ।
ଜାଣେନାହି ତୁହି କେମିତିକା ଝିଅ
ଗୁଆ ଘିଅ ଅବା ମିଠା ମହୁ,
ଏଇନେ ମୋ ଆଖି ଆଗରେ ତୁ ଥାଉ
ପଲକ ପଡିଲେ ନାହୁଁ ।

