ଗୋଲାପ ଉବାଚ
ଗୋଲାପ ଉବାଚ
ପୂର୍ଣ୍ଣ ସମର୍ପିତ ବୋଲି ତନୁ ମୋର
ପ୍ରୀତି ଭରା ରଙ୍ଗେ କରେ ଆପଣାର ।
କିଏ କହେ ମତେ ପ୍ରେମ ପରିଭାଷା
ପାଖୁଡ଼ାକୁ ମୋର ମଖମଲ ଶଯ୍ୟା ।
ବୁଝିଛକି କେବେ ଯନ୍ତ୍ରଣା ମୋହର
ଖାଏ ଶୀତ ଖରା କାକର ପାହାର ।
ଅଧା କଳେବର କଣ୍ଟକିତ ମୋର
ମଖମଲ ଶଯ୍ୟା ଦେଖାଣିଆଁ ନର ।
ସବୁ କଷ୍ଟ ନେଇ ଜୀବନ ନଈରେ
ଧାଇଁଛି ପରା ମୁଁ ପ୍ରତି ମୁହୂର୍ତ୍ତରେ ।
ପାଇବାକୁ ହେଲେ ଫୁଲର କୋମଳ
ସହିବାକୁ ହେବ କଣ୍ଟାର ପାହାର ।
ଫୁଲ କଣ୍ଟା ଦୁଇ ବିପରୀତ ପରା
ଯେହ୍ନେ ଦୁଃଖ ସୁଖ ଜୀବନର ଧାରା ।
ସବୁ ମିଶିଗଲେ ଜୀବନ ପୁସ୍ତକ
ହେବ ପରିପୂର୍ଣ୍ଣ କହୁଛି ଗୋଲାପ ।