ଗୋଧୂଳି
ଗୋଧୂଳି
ଗୋଧୂଳି ଲଗନ ଆଗତ ସାୟାହ୍ନ
ମିଳନ ମଧୁର ବେଳା
ପଶ୍ଚିମ ଆକାଶେ ଅସ୍ତଗାମୀ ରବି
ଲୋହିତ କିରଣ ଆଭା ।
ନଇଁ ଆସେ ସଞ୍ଜ ଜଳେ ମିଞ୍ଜି ମିଞ୍ଜି
ପୂର୍ବାକାଶେ ସନ୍ଧ୍ୟାତାରା
ଆଲୋକ ମାଳାର ଲାଗଇ ରୋଷଣୀ
ଫୁଟେ ଫୁଲ ଜହ୍ନତୋରା ।
ନୀଡ଼ ଅଭିମୁଖେ ଆସନ୍ତି ବାହୁଡି
ପଥଚାରୀ ପଶୁପକ୍ଷୀ
ଚଉରା ମୂଳରେ ଜଳେ ସଞ୍ଜବତୀ
ମନାସନ୍ତି ସୁଖଶାନ୍ତି ।
ଦିଶଇ ଉତ୍ତରେ ସପ୍ତଋଷି ପୁଞ୍ଜ
ସ୍ଥିତପ୍ରଜ୍ଞ ଧ୍ରୁବତାରା
ଗୃହସ୍ଥ ଆଶ୍ରମେ ଗୁଞ୍ଜେ କଳରବ
ପ୍ରେମ ଅମୃତର ଧାରା ।
ମାତାପିତା ଭାଇ ଭଉଣୀ ଏକତ୍ର
କଥୋପକଥନେ ରତ
ଲାଗେ ପରିବାର ବୈକୁଣ୍ଠ ସମାନ
ବସୁଧା ଏକ କୁଟୁମ୍ବ ।
ସ୍ନେହ ମମତାର ଅମୃତ ନିର୍ଝର
କର୍ମ କୁଶଳତା ଲାଭେ
ବଢ଼ଇ ଜୀବନେ ଆନନ୍ଦ ଉଲ୍ଲାସ
ଶୁଭ ସୁସଙ୍କଳ୍ପ ଯୋଗେ ।
ବିଭୁଙ୍କ ସ୍ମରଣ ଦୟା କ୍ଷମା ଦାନ
କର୍ତ୍ତବ୍ୟର ସମ୍ପାଦନ
ମିଳେ ଚଉବର୍ଗ କୈବଲ୍ୟ ମୁକତି
ସାର୍ଥକ ହୁଏ ଜୀବନ ।
ଗୋଧୁଳିର ବେଳା ପବିତ୍ର ସ°କ୍ଷିପ୍ତ
ଜ୍ଞାନୋଦୀପ୍ତ ଜ୍ୟୋର୍ତିମୟ
ସଞ୍ଚରେ ଜୀବନେ ଶାନ୍ତି ସୁଧା ନୀର
ସୃଷ୍ଟି ଲାଗେ ମଧୁମୟ ।
----
