ଗୋଧୂଳି ..୯
ଗୋଧୂଳି ..୯
●ଗୋଧୂଳି -- ୯●
☆☆☆☆☆☆☆
ପଲକରେ ଆଶା ର ବୋଝ ନେଇ
ତିଳକରେ ବର୍ଦ୍ଧିତ ବୟସର କୁଞ୍ଚିତ ଧାର କୁ ନେଇ ,
ଶରୀର ଅପେକ୍ଷାରତ ଜୀବନର ଗୋଧୂଳିରେ ।
ଭାବନା ଯନ୍ତ୍ର ର ତାର ସବୁ ଭାବେ ,
ଏବେ ମିଳିଯିବ ସବୁ ବେସୁରା ଗୀତକୁ ତା ସ୍ବର ,
ଏବେ ଆବିର୍ଭାବ ହେବ ସବୁ ଉତ୍ତର ର ଝଙ୍କାର ।
ଏବେ ହିଁ ସ୍ବପ୍ନ ର ତବଲା ବାଜି ଉଠିବ ,
ଆଉ ଅଟକିବନି କାହା ଧମକରେ ।
ଏବେ ହିଁ ସ୍ନେହ , ପ୍ରେମ ର ତାର ସବୁ
ଏକାଠି ହେବ ,
ଭାସି ଆସିବ ମତୁଆଲା ସ୍ବର ଜୀବନ ବୀଣାରୁ ।
ନିଜର ତ୍ୟାଗ , ଉତ୍ସର୍ଗ ର ଭାବନା
ଗୁଣୁଗୁଣୁ ହୁଏ ,
ଏବେ ହିଁ ଦୌଡି ଆସିବ
ଜୀବନ ସଙ୍ଗୀତର ଭବିତବ୍ୟ ର ଦାୟାଦ ସବୁ ,
ଅଣ୍ଟା ଭଙ୍ଗା , ଧୂଳି ଲଗା ସେ ତାନପୁରା ପାଖକୁ ।
ସତରେ କେତେ ଅଜବ ଏ ଭାବନା ..
ସେ ବିବ୍ରତ ମନ କଣ ଚିନ୍ହିନି ଏ ଦୁନିଆକୁ ,,?
ଜାଣିନି କି ଏଇଠି ସର୍ବଦା ଶୁଭେନା ମଧୁର ରାଗିଣୀ ।
ଜାଣି ନି କି ଏଇଠି ....
ସୁମଧୁର ସ୍ବର ପ୍ରଦାନକାରୀ ହାରମୋନିୟମ ବି
ଲୋଡା ହୁଏନା ...,
ଗୋଟିଏ ଧଳା ଅବା କଳା ଅଂଶକୁ ହଜାଇ ଦେଲେ ।
ଜାଣି ନି କି ପ୍ରକମ୍ପିତ , ଉଦ୍ଧତ
ଡିଜେ ର ସ୍ବରରେ ହଜିଯାଏ ବଂଶୀର ସ୍ବର ।
ଜାଣିନି କି ଇଲେକ୍ଟ୍ରୋନିକସ୍ ବାଦ୍ୟରେ
ଆଜି ହଜି ଯାଏ ମହୁରୀର ଧ୍ବନି ।
ଆଧୁନିକତାର କାଟା , ଛିଣ୍ଡା କିଛି
ସଭ୍ୟତା ଆଗରେ
ଏ ପୁରୁଣା ଶରୀର ସମ୍ପୂର୍ଣ୍ଣ ନିଃସ୍ବ ।
କେବେ କେଜାଣି ପୁରା ହୁଏ ସେ ଅପେକ୍ଷାର ..?
କେଜାଣି କେବେ ରାତି ହେବ ସେ ଗୋଧୂଳିର .....
କେଜାଣି କେଉଁ ଗୋଧୂଳିରେ
ବସିଯିବ ଛକି ଚିନ୍ହ......
ତଥାପି ସେ କୁଞ୍ଚିତ ମସ୍ତକ
ଅପେକ୍ଷାରତ ଏକ ସ୍ନେହ ବୋଳା
ସୁରିଲା ଆଲିଙ୍ଗନର .....।
