ଗୋଧୂଳି-୧୦
ଗୋଧୂଳି-୧୦
କେବେ କେବେ ଧାଇଁଯାଏ ସମୟଟା
ମାଡିଆସେ ଅସମୟରେ ଗୋଧୂଳିଟା ,
ଶେଷ ହୋଇ ନଥାଏ କଳ୍ପନା
ବାକି ଥାଏ କିଛି ଜଞ୍ଜାଳ
ତଥାପି ସମୟ ସେ କଥା ବୁଝେନା ।
ଫାଙ୍କା ଥାଏ ମନର ସେ ପୃଷ୍ଠାଟି ,
ଯେଉଁଠି ସ୍ବପ୍ନର ପ୍ରଥମ ଅଧ୍ୟାୟ ବି
ଶେଷ ହୋଇ ନ ଥାଏ ,
କିନ୍ତୁ ମିଛିମିଛିକା ଶେଷ ଧାଡିଟି
ଗାରେଇ ଦେଇ ହସୁଥାଏ
ଗୋଧୂଳିର ମଲାଟଟା ।
କିଚିରି ମିଚିରି କରୁଥିବା ଶାବକର
ପେଟ ଏବେ ବି ଅପୂରା ,
ସ୍ନେହର ଗଣ୍ଠିଲି ବି ସେମିତି
ମୁକୁଳା ହୋଇ ପଡିଥାଏ ,
କିନ୍ତୁ କେଉଁ ଏକ ଦୂରରେ
ମୁଦି ଯାଇଥାଏ ମା ଖଗର ପଲକଟା ।
ମନ ରୂପୀ ଗୋଲାପ କଢଟି ଚାହିଁଥାଏ ,
ସେ ବି ଫୁଟିବ ,
ସଭିଁଙ୍କ ମନକୁ ଜିଣିବ ,
ହେଲେ ସବୁକିଛି ଅଟକିଯାଏ ,
ବଗିଚାର ମାଳୀଟି ଶୁଣିନିଏ
ତା ଜୀବନର ଗୋଧୂଳିର ଶେଷ ଟିକ୍ ଟିକ୍ ଶବ୍ଦଟା ।
ଥରେ ଥରେ ସତରେ ବେଶୀ
ପାଖକୁ ଘନେଇ ଆସେ
ସମୟର ଜୁଆରଟା ।
କିଛି ନ କହି ବି ବହୁତ କିଛି କହିଯାଏ ,
କିଛି ନ ଲୁଚେଇ ବି ବହୁତ କିଛି ଲୁଚେଇ ନିଏ ,
ସମୟଟା ସତରେ କେବେ କେବେ
ବେଶ୍ ଖେଳୁଆଡ୍ ପାଲଟି ଯାଏ ,
ହାତ ପାହନ୍ତରେ ସବୁ ଥିଲା ପରି ଲାଗେ ,
ହେଲେ ମହାସାଗରର ଆର ପାର୍ଶ୍ବ ପରି
ଅପହଞ୍ଚ ଲାଗେ ।
ଥରେ ଥରେ ଗୋଧୂଳି ବି
ପାଲଟି ଯାଏ ସୁନାମି ,
ଆସିବାର ଘଣ୍ଟି ବଜାଏନି
ହେଲେ ସାଥିରେ ବହୁତ କିଛି
ପୋଛି ନେଇ ଯାଏ ।