ଗଣେଶ ପ୍ରତୀକ
ଗଣେଶ ପ୍ରତୀକ


ପ୍ରଭୁ ଗଜାନନ ପାର୍ବତୀ ନନ୍ଦନ
ଜୀବନ ତତ୍ତ୍ୱ ସୂଚାନ୍ତି ।
ବୁଦ୍ଧି ପ୍ରଦାୟକ ସିଦ୍ଧି ବିନାୟକ
ଜୟ ମଙ୍ଗଳ ମୂରତି ।।
ବିଶାଳମସ୍ତକ ତାଙ୍କର
ଶିଖାଏ ବଡ କର ଭାବନାଟା ।
କ୍ଷୁଦ୍ର ଚକ୍ଷୁବେନି ସୂଚାଏ ଆମ୍ଭକୁ
ଦୃଷ୍ଟିଦିଅ ଏକାଗ୍ରତା ।।
ଶୁଣ୍ଢଟା ତାଙ୍କର ଦକ୍ଷତା ସୂଚାଏ
ସଦା ଉପଯୋଗ ପାଇଁ ।
ଏକଦନ୍ତ ତାଙ୍କ ଧରି ରଖେ ଭଲ
ମନ୍ଦକୁ ଫୋପାଡ଼ି ଦେଇ ।।
ବଡକାନ ବେଶି ଶୁଣେ କ୍ଷୁଦ୍ରମୁଖ
କମ୍ କହିବାକୁ କହେ ।
ଉତ୍ତୋଳିତ ହସ୍ତ ଆଶୀର୍ବାଦ ଦିଏ
ସତପଥେ ଯିଏ ଯାଏ ।।
ମୋଦକ ହସ୍ତଟି ସୂଚାଏ ତାଙ୍କର
ପୁରସ୍କାର ସାଧନାର ।
ବିଶାଳ ଉଦରେ ଭଲମନ୍ଦ ସବୁ
ଶାନ୍ତିରେ ହଜମ କର ।।
ପାଦତଳେ ତାର ସମସ୍ତ ଦୁନିଆଁ
ପ୍ରସାଦ ସୂଚାଇ ଥାଏ ।
ନିଜ ଶକ୍ତିବଳେ ସବୁ ପାଇ ହେବ
ଯଦି ଖୋଜା ଠିକ୍ ହୁଏ ।।
କୁଠାର ସୂଚାଏ ବନ୍ଧନ ଆସକ୍ତି
କାଟି ଫିଙ୍ଗିଦିଅ ବେଗେ ।
ଦଉଡି ସୂଚାଏ ଟାଣିକି ନେବାକୁ
ଉଚ୍ଚତମ ଲକ୍ଷ୍ୟ ପାଶେ ।।
ମୂଷିକ ବାହନ ସୂଚାଏ ଆମ୍ଭକୁ
କାମନା ନହେଲେ ବଶ ।
ଆତଙ୍କ ଜୀବନେ ଆସଇଟି ମାଡି
ସମ୍ପୂର୍ଣ୍ଣ କରଇ ଧ୍ୱଂସ ।।
ଏକ ଗୋଡ ତାଙ୍କ ଭାଙ୍ଗି ରହିଥାଏ
ଏକ ଗୋଡ ଭୂମିତଳ ।
ପାର୍ଥିବ ଆନନ୍ଦେ ଅନାସକ୍ତ ରହି
ସ୍ୱୟଂକୁ ଟିକିଏ ଭାଳ ।।
ଅଠରଖଣ୍ଡ ମହାଭାରତ ଲେଖି
ବିଘ୍ନରାଜ ଶ୍ରୀଗଣେଶ ।
ଭାଙ୍ଗି ଦେଇଥିଲେ ସେହି କଲମକୁ
ଧରିଛନ୍ତି ଭଗ୍ନଅଂଶ ।।
ମୂଳାଧାର ଚକ୍ରେ ସେ ପ୍ରିୟ ଦେବତା
ସର୍ବ ଶରୀରରେ ଥାଏ ।
କୁଣ୍ଡଳିନୀ ଶକ୍ତି ଜାଗ୍ରତ କରିଲେ
ସେ ତତ୍ତ୍ୱ ଦର୍ଶନ ପାଏ ।।
ସାକାର ଦର୍ଶନେ ନିରାକାର ତତ୍ତ୍ୱ
ଯେ ଜନ ଦର୍ଶନ କରେ ।
ବିଘ୍ନ ବିନାଶକ ଗଜାନନଙ୍କର
ଆଶୀର୍ବାଦ ସିଏ ପାଏ ।।