ଗଣେଶ ବନ୍ଦନା
ଗଣେଶ ବନ୍ଦନା
ହେ ଗଜାନନ , ଗୌରୀ ନନ୍ଦନ ,
ହେରମ୍ବ ବିନାୟକ .....
ଘେନ ପ୍ରଣତି , କରୁ ମିନତି ,
ହେ ବିଦ୍ୟା ପ୍ରଦାୟକ ,
ହେ ପ୍ରଭୁ ... ହେ ବିଦ୍ୟା ପ୍ରଦାୟକ ।
ମାତାଙ୍କ ଅଙ୍ଗ , ମଳିରୁ ଜନ୍ମି ,
ଦ୍ବାର ରକ୍ଷକ ହେଲ ....
ଦେବତା ନର , ଅବା କିନ୍ନର ,
କାହାକୁ ନ ଛାଡ଼ିଲ ,
ହେ ପ୍ରଭୁ ... କାହାକୁ ନ ଛାଡ଼ିଲ ।
ଶିବଗଣଙ୍କୁ , ହରାଇ ଦେଇ ,
ଦମ୍ଭରେ ଛିଡ଼ା ହେଲ....
ଶେଷରେ ମହା , ଦେବ ଆସିଲେ ,
ଘୋର ସମର କଲ ,
ହେ ପ୍ରଭୁ .... ଘୋର ସମର କଲ ।
କୋପେ ଶଙ୍କର , ତୁମ୍ଭର ଶିର ,
ତ୍ରିଶୂଳେ କାଟି ଦେଲେ...
ଗୁମ୍ଫା ଭିତରେ , ତପସ୍ୟା ରତ ,
ଉମାଙ୍କୁ ଦେଖା କଲେ ,
ହେ ପ୍ରଭୁ ....ଉମାଙ୍କୁ ଦେଖାକଲେ ।
ଦୁହେଁ ବାହାରି , ଆସି ଦେଖିଲେ ,
ପୁତ୍ର ମସ୍ତକ ନାହିଁ ......
କ୍ରନ୍ଦନ କଲେ , ଆକୁଳେ ମାତା ,
ଛିନ୍ନ ମସ୍ତକ ଚାହିଁ ,
ହେ ପ୍ରଭୁ.....ଛିନ୍ନ ମସ୍ତକ ଚାହିଁ ।
ଆଦେଶ ଦେଲେ , ତ୍ରିଶୂଳଧାରୀ ,
ପଠାଇ ଶିବଗଣ......
ଉତ୍ତର ଦିଗେ , ଶୋଇଛି ଯିଏ ,
ତା' ମୁଣ୍ଡ କାଟି ଆଣ ,
ହେ ପ୍ରଭୁ.....ତା' ମୁଣ୍ଡ କାଟି ଆଣ ।
ଉତ୍ତର ଦିଗେ , ନିଦ୍ରିତ ହସ୍ତୀ ,
ମୁଣ୍ଡକୁ କାଟିଦେଲେ ....
ସେହି ମସ୍ତକ , ଯୋଡ଼ି ଦେବାରୁ ,
ଗଜ ମସ୍ତକ ହେଲେ ,
ହେ ପ୍ରଭୁ.... ଗଜ ମସ୍ତକ ହେଲେ ।
ଦେବଗଣଙ୍କ , ବର ପାଇଣ ,
ଅଗ୍ର ପୂଜ୍ୟ ହୋଇଲ.....
ସକଳ ବିଦ୍ୟା , ଭୂଷିତ ହୋଇ ,
ବିଘ୍ନ ନାଶନ ହେଲ ,
ହେ ପ୍ରଭୁ ..... ବିଘ୍ନ ନାଶନ ହେଲ ।
ତୁମ୍ଭରି ଜନ୍ମ , ଦିବସେ ଆମ୍ଭେ ,
କରୁଛୁ ନିବେଦନ .....
ବିଦ୍ୟା ପ୍ରଦାନ , କରି ଆମ୍ଭର,
ବଢ଼ାଅ ସନମାନ ,
ହେ ପ୍ରଭୁ ....ବଢ଼ାଅ ସନମାନ ।
