ଗଙ୍ଗା ପାର
ଗଙ୍ଗା ପାର
ଅହଲ୍ୟା ଉଦ୍ଧାର ଉତ୍ତାରେ ରାମ ଲକ୍ଷ୍ମଣ
ବିଶ୍ଵାମିତ୍ର ଙ୍କ ସହ ବନେ କଲେ ଗମନ l
ଶିବ ଧନୁ ଦେଖିବା ଇଚ୍ଛା ହୃଦୟେ ଧରି
ଯିବାକୁ ବାହାରହେଲେ ଜନକଙ୍କ ପୁରୀ l
ପଥେ ପଡିଲା ଗଙ୍ଗା ନଦୀ ସ୍ରୋତ ପ୍ରଖର
ପାର ହେବାକୁ ତାକୁ ମନେ କଲେ ବିଚାର l
ଦୂରରେ ନାଉରୀକୁ ଦେଖି ଡାକ ପକାନ୍ତି
ନାଵକୁ ଆଣ କୂଳକୁ ହେ କରୁ ମିନତି l
ବଧିର ନହୋଇ ନାଉରୀ ଶୁଣ ବଚନ
ନାଉରୀ କହେ ଭୟ ଜାତ ହୁଅଇ ମନ l
ଶୁଣିଲି ପାଇ ସ୍ପର୍ଶ ତୁମ ଚରଣ ଧୂଳି
ପଥର ଅବଳା ବାଟରେ ହୋଇଲା ନାରୀ l
ଲାଗି ତୁମ ଚରଣର ସେ ରେଣୁଟିକିଏ
ନଉକା ମୋ ନାରୀ ହେଲେ ବୁଦ୍ଧି ନପାଏ l
ବେଉସା ମୁଁ ହରାଇ ଦୁଃଖ ସିନା ପାଇବି
ଅଭାବୀ ସଂସାର କେମିତି ଅବା ପୋଷିବି l
ପାର ଯଦି ହୋଇବାକୁ କରିଅଛ ଆଶ
ଚରଣ ଧୋଇଲେ ତୁମେ ହୋଇବ ବିଶ୍ୱାସ l
ଶୁଣି ଧୀବର କଥା ପ୍ରଭୁ ରାମ ଲକ୍ଷ୍ମଣ
ବଢ଼ାଇ ଦେଲେ ଧୀରେ ଧୋଇବାକୁଚରଣ l
ଯେଉଁ ପଦ ସକଳଜୀବଙ୍କର ଆସ୍ପଦ
ଧୋଇଲା ଭକତିଭରେ ନାଉରୀ ସେପାଦ l
ଧୋଇ ଯତନେ ପଦ ନାବେ ବସାଇ
ପାର କରିଥିଲା ନାଉରୀ ଗଙ୍ଗାର ନଈ l
ହେ ପ୍ରଭୁ ତୁମେ ଭବ ସଂସାରର ନାଉରୀ
ମୋର ଜୀବନକୁ ସଦୟେ କରିବ ପାରି ll
