କବିତା - ଘୁର୍ଣ୍ଣିବଳୟ
ରଚନା - ପଞ୍ଚାନନ ଜେନା
ତାରିଖ -୧୯-୦୭-୨୦୨୫
ଟିଭିରେ କହୁଛି
ପାଣିପାଗ ବିଭାଗ ରଡୁଛି
ସତର୍କ ଘଣ୍ଟି ବଜଉଛି
ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରୁଛି
ଆସନ୍ନ ପୁର୍ଣ୍ଣିବଳୟ ପାଇଁ ସଜାଗ କରଉଛି
ଏଇ ଜୁଲାଇ ମାସରେ
ପନ୍ଦରରୁ ପଚିଶ ଲଗାଣ ବର୍ଷା ଅଛି
ଉତ୍ତର ଆଣ୍ଡାମାନ ସାଗରରେ
କୁଆଡ଼େ ଘନୀଭୂତ ହେଲାଣି ଆଉ ଗୋଟେ
ଲଘୁଚାପ ଜନିତ ଅବପାତର ଗୋଛି
ଆଷାଢ଼ ସରିନି ଏ ସନ
ବନ୍ୟା ବାତ୍ୟାର ଘନ ଘନ ଆଗମନ
ପୁରା ବର୍ଷା ଋତୁ ମୁକୁଳା ପଡିଛି
ରଖେଇ ବସେଇ ଦେବ କି ଜୀବ ଜୀବନ ?
ପାଣିରେ ବୁଡିବେ ପଚିବେ ସଢିବେ
ସବୁଜ ପରିବା ବାଡି ଧାନ ମୀନ ପାନ
ହାତ ଯୋଡି କରୁଛି ନମ୍ର ନିବେଦନ
କହିବେ କି ସତ୍ୟ ବଚନ ?
କିଏ ଆମକୁ ଭିଜେଇଲା ବେଶି
ଲଗାଣ ବର୍ଷା ନା ଅଗ୍ନିକନ୍ୟା ସୌମ୍ୟାଶ୍ରୀ ବିଶି
କିଏ ଆମକୁ କନ୍ଦେଇଲା ବେଶି
ଓଡ଼ିଶା ବନ୍ଦ ପାଳନ ବେଳେ ଲୁହବୁହା ଗ୍ୟାସ
ନା
ଫକୀର ମୋହନ ମହାବିଦ୍ୟାଳୟ ଅଧକ୍ଷ ଅଫିସ ଆଗରେ ପେଟ୍ରୋଲ ନିଆଁରେ ଦଗ୍ଧିଭୂତ ନ୍ୟାୟଖୁଣ୍ଟରେ ଫାସି
କିଏ ଆମକୁ ନୟନବିଷ୍ଫାରିତ କଲା ବେଶି
ଲୋୟର ପିଏମଜିରେ କତିପୟ
ପୂର୍ବ ମନ୍ତ୍ରୀ ଯନ୍ତ୍ରୀ ମାନଙ୍କର ଶଠ ଅଭିନୟ
ନା ମାଟିର ଜୀବନ ପଛେ ଯାଉ
ନିଆଁରେ ପଛେ ଜଳିପୋଡି ସରି ଯାଉ
ଦେହ ଦେଇ ପାରିବିନି ଲମ୍ପଟ ପାଖରେ
ଯୁଗେ ଯୁଗେ କୁମାରୀ ଝିଅର ସତୀତ୍ଵ
ମହନୀୟା ବନ୍ଦନୀୟା ମହିୟସୀ
ଲଘୁଚାପ ଜନିତ ଲଗାଣ ବର୍ଷା ଆସିଲେ
କାହିଁକି କେଜାଣି
ପରିବା ଦର ଡେଉଁ ପଡ଼େ ଆକାଶଛୁଆଁ
ଅସାଧୁ କଳା ବେପାରୀମାନେ ଆରମ୍ଭ
କରନ୍ତି ଫିସାଦି ମୁଠେଇ ମୁଆଁ
ଯୋଗାଣ ଓ ବିତରଣ ଭିତରେ ଲମ୍ବା
ତଫାତ୍ ଦେଖେଇ କିଳାଯୋଦେଇ
ବେପାର କରନ୍ତି ଆଖି ଆଗରେ ଥୁଆ
ରାଜନୈତିକ ଦଳର ବଡ଼ପଣ୍ଡା ମାନଙ୍କୁ
ଦିଶିଯାଏ ଗରମ ତାୱାର ବାମ୍ଫ ଧୂଆଁ
ତାଜା ରାଜନୀତି ରୋଟି ସେକା ଚାଲିବ
କେବେ ବାର ଘଣ୍ଟିଆ ବନ୍ଦ ପାଳନ ହେବ
ଆଉ କେବେ ସ୍କୁଲ କଲେଜ ବନ୍ଦ କରୁ କରୁ
ଏ ବର୍ଷର ସୁପର ହିଟ ନାଟକ ବି ମଞ୍ଚସ୍ଥ ହେବ
କାଣ୍ଡ କାରଖାନାର ଭୂମିପୂଜନ ବି ସରିବ
ହାଏରେ ପାଣିପାଗ
ତୁମ ସୂଚନାକୁ ଅଜାନୁ ଦଣ୍ଡବତ
ପାଣି ବରଷୁ ବରଷୁ ପାଗ ବି ସରବତ
ଗୁହାରି ଶୁଣିବାକୁ ଟିକେ ସମୟ ଥିଲେ
ବିଚାରା ସତର ବର୍ଷର ନିରିମାଖି ଝିଅଟା
ବଂଚି ଯାଇଥାନ୍ତା ଅଲବତ୍
ଅକାଳରେ ଝରି ନ ଯାଇ
ଜିଲ୍ଲା ରାଜ୍ୟ ଦେଶ ବିଦେଶର ପାଣିପାଗକୁ
ଅସମୟରେ କରି ନ ଥାନ୍ତା
ଚଳ ଚଞ୍ଚଳ ପରିସ୍ଥିତି କୁ ଧୂମାଳ ଅଚଳ ଅକସ୍ମାତ