ଘରଣୀ
ଘରଣୀ
ଘରଣୀ ମୋହର ଭାରି ବୁଝିବାର
ତାପରି କିଏସେ ହେବ
ସବୁବେଳେ ପରା ପ୍ରେମର ଡୋରୀରେ
ବାନ୍ଧି ସିଏ ରଖିଥିବ
ଅଭାବି ମନର ଗହନ କଥାକୁ
କିଏ ଆଉ ବୁଝିଯିବ
ଅନ୍ୟର ଓଠରେ ହସ ଦେବାପାଇଁ
ଆଖି ଲୁହ ପିଉଥିବ ।
ଉଠି ପଡୁଥିବ ସଭିଙ୍କ ଆଗରୁ
କାଉ ନକହୁଣୁ କାଆ
ଶୋଇବାକୁ ଯିବ ସଭିଙ୍କ ଶେଷରେ
ଶୋଇଗଲା ପରେ ଗାଆଁ ।
ଶାଶୁ ଶଶୁରଙ୍କ ସେବା ସେ କରିବ
ପିଲାଙ୍କର ନେବ ଯତ୍ନ
ସତେକି ଯେମିତି ଅଗଣାରେ ମୋର
ଫୁଟିଛି ଅମୁଲ୍ୟ ରତ୍ନ ।
ଗାଧୋଇ ପାଧୋଇ ଠାକୁର ପୂଜିବ
ଘରର ଶୁଭ ମାନସୀ
ଗୁରୁଜନଙ୍କର ଆଶିର୍ବାଦ ନେବ
ସ୍ନେହ ମମତା ପରସି ।
କାହା ପାଇଁ ଚାହା କାହା ପାଇଁ କଫି
କାହା ପାଇଁ ଭୁଷି ପାଣି
ଗୋଟି ଗୋଟି କରି ଦେଵ ସେ ସଭିଙ୍କୁ
ସମସ୍ତଙ୍କ ମନ ଜାଣି ।
ଗୋଟି ଗୋଟି କରି ପିଲାଙ୍କ ଦାୟିତ୍ୱ
ସବୁ ସେ ବୁଝିଲା ପରେ
ସବୁ କାର୍ଯ୍ୟ ସାରି ରାନ୍ଧିବା ପାଇଁକି
ପଶିବ ରୋଷେଇ ଘରେ ।
ମନ ଜାଣି ସିଏ ରୋଷେଇ କରିବ
ସମସ୍ତଙ୍କ ପ୍ରିୟ ଯାହା
ସଭିଏଁ ଖାଇକି ବଳିଯିବ ଯାହା
ଆନନ୍ଦେ ଖାଇବ ତାହା ।
ସନ୍ଧ୍ୟା ହୋଇଗଲେ ଚଉଁରା ମୂଳରେ
ଜାଳିବ ସେ ସଂଜବତୀ
ରୂପରେ ଗୁଣରେ ଲାଗୁଥାଏ ସିଏ
ମୋପାଇଁ ଲାବଣ୍ୟବତୀ ।
