ଘର
ଘର


କାନ୍ଥ ଛପର ଥାଇ ଦୁଆର
ବଖରା ଦୁଇ ଚାରି
ସେ କି ଆମର ବୋଲାଏ ଘର
ମେଳ ବିନୁ କାହାରି ?
ଝାଟି ମାଟିର କୁଡିଆ ଘର
ଥାଉ ସେ ପଛେ ଭଲେ
ହସଖୁସିରେ ମିଳିମିଶିରେ
ଜୀବନ ସିନା ଚଳେ ।
ମମତା ଭରା ବନ୍ଧନ ସାରା
ଯାହାର ପରିବାର
ମନ୍ଦିର ସମ ଭାବ ଓ ପ୍ରେମ
ସହିତେ ସେହି ସାର ।
କଳହ ଯହିଁ ନଥାଏ ତହିଁ
ପ୍ରେମର ଧାରା ଥାଏ
ସୁଖ ସାଗର ଅଟେ ସେ ଘର
ପରାଣ ଥିବା ଯାଏ ।
ଭାଇ ଭଉଣୀ ସରାଗ ପୁଣି
କକା ଖୁଡୀଙ୍କ
ତୁଲେ
ଜେଜେମା ଗପ ଶୁଣି ଅଳପ
ଜେଜେଙ୍କ ସହ ବୁଲେ ।
ମାମୁଁ ଓ ମାଇଁ କି ଅଜା ଆଈ
ଶୁଭ ଆଶିଷ ଦେଇ
ପାଖକୁ ଆସି ହସାନ୍ତି ବେଶି
ଡିଆଁଇ ଥେଇ ଥେଇ ।
ପୀଡନ ସହି ରୋଗରେ କେହି
ପଡିଲେ ପାଏ ସେବା
କେତେ ଦରବ ପୂଜା ପରବ
ହୋଇଲେ ଦେବା ନେବା ।
ଭିକ ମୁଠାଏ ପାଣି ମୁନ୍ଦାଏ
ଭିକାରୀ ଯହୁଁ ପାଏ
କି ଭରପୂର ସେହି ସଂସାର
ଭାବଟେ ଯଦି ଥାଏ ।
ବଡଙ୍କ ଭକ୍ତି ବଳରେ ଶକ୍ତି
ଆଦର ପାଏ ସାନ
ସେ ଜନ୍ମ ଦାତା ପିତା ଓ ମାତା
ଦେବତା ବୋଲି ଜାଣ ।
ପ୍ରସନ୍ନ କୁମାର ମାଦଳା