ଘର ହିଁ ତ ସ୍ଵର୍ଗ
ଘର ହିଁ ତ ସ୍ଵର୍ଗ
ମହୀ ମଣ୍ଡଳରେ ଜନମ ଲଭି ମାନବ
ଜୀବନ କାଟଇ କରି ସବୁ ଅନୁଭବ,
ଗଢ଼ି ତା'ର ପରିବାର
ଆତ୍ମୀୟଜନଙ୍କୁ କରେ ସିଏ ଆପଣାର।
'ଘର'ଟିଏ ହୋଇଥାଏ ତା' ଲାଗି ମନ୍ଦିର
ଦେବାଦେବୀ ହୋଇଥାନ୍ତି ପିତାମାତା ତା'ର,
ସେବା ଯତ୍ନରେ ତାଙ୍କର
ପ୍ରତିଭା ବିକାଶି ହିତ କରେ ଜଗତର।
ସ୍ନେହ ଶ୍ରଦ୍ଧାର ସୂତା ଖିଏ ବନ୍ଧା ସଂପର୍କ
ଦାୟିତ୍ଵ କର୍ତ୍ତବ୍ୟ ପାଳେ ସେ ରହି ସତର୍କ,
ପରସ୍ପର ସହଯୋଗେ
ଦିନକାଳ କାଟେ ଆଜୀବନ ଅନୁରାଗେ।
ହସରେ ଲୁହରେ ରହି ପରିବାର ଜନ
ଦେଉଥାନ୍ତି ସଭିଏଁ ଦାନର ପ୍ରତିଦାନ,
ଅତୁଟ ଭାବ ବନ୍ଧନ
ପାର୍ଥିବ ଜଗତେ ରଖେ ଜୀବନର ମାନ।
ଆତ୍ମୀୟଙ୍କ ପାଇଁ ସେହି ଘର ହିଁ ତ ସ୍ଵର୍ଗ
ସୁଖ ଶାନ୍ତିରେ ରୁହନ୍ତି ପରିବାର ବର୍ଗ,
ସବୁର ଏ କେନ୍ଦ୍ରସ୍ଥଳ
ଘର ପରିବାର କରେ ସବୁ ଯା' ମଙ୍ଗଳ।
ମୃତ୍ୟୁ ପରେ ଜୀବ ଯାଏ ଯେଉଁ ସ୍ଵର୍ଗଲୋକ
ତା' ସତରେ କେଉଁଠି ଦେଖିଛି କେ ଦର୍ଶକ ?
ତାତ୍ତ୍ଵିକ ସୃଷ୍ଟି ସିଦ୍ଧାନ୍ତ
ସୂକ୍ଷ୍ମ ବିଚାରଧାରାର ସେ ଶୀର୍ଷ ପର୍ଯ୍ୟନ୍ତ।
ଚିନ୍ତା ଚେତନାର ସେ ଯେ କାଳ୍ପନିକ କ୍ଷେତ୍ର
ସ୍ଵର୍ଗ ଯହିଁ ଅଛି ସବୁ ବିଶୁଦ୍ଧ ପବିତ୍ର,
ନାହିଁ ସେଠି କିଛି ଦୁଃଖ
ସେ ପୁରରେ ଅଛି କେବଳ ସୁଖ ହିଁ ସୁଖ।
ସେ ମୃତ୍ୟୁ ପରେ ସୂକ୍ଷ୍ମ ଅଶରୀରର କଥା
ଜୀବନ୍ତ ରହି ଭାବିଲେ ଲାଗେ ତା'ର ବ୍ୟଥା,
ବାସ୍ତବ ଜୀବନେ କର୍ମ
ଆଣିଦିଏ ସୁଖ ଶାନ୍ତି ତାହା ହିଁ ତ ଧର୍ମ।
ଜୀବନରେ ପରିବାର ଦିଏ ସବୁ କିଛି
ଅନୁଚିତରୁ ଉଚିତ ଯାହା ଦିଏ ବାଛି,
ଘର ହିଁ ମର୍ତ୍ତ୍ୟରେ ସ୍ଵର୍ଗ
ଦେଖାଇଥାଏ ସଦା ସତ୍ୟ ଶାନ୍ତିର ମାର୍ଗ।
ଘରର ଉନ୍ନତି କଳ୍ପେ ଥିଲେ ପରିବାର
ଅଭାବ ଅସୁବିଧା ସବୁ ହୁଅଇ ଦୂର,
ମନରେ ରଖି ଏକତା
କଲେ ଶ୍ରମ ସାଧନା ମିଳଇ ସାର୍ଥକତା।
