STORYMIRROR

Lata Behera

Abstract

4  

Lata Behera

Abstract

ଘୋଷଯାତ୍ରା

ଘୋଷଯାତ୍ରା

2 mins
347

ଘୋଷଯାତ୍ରା ତୋର ଦେଖିନି କାଳିଆ 

    ଦେଖିନି ମନ୍ଦିର ତୋର

ଦେଖିନି ତୋ ବଡ ସିଂହାରର ବେଶ

    ଦେଖିନି ନୀଳ କନ୍ଦର ।

ଦେଖିନି ତୋହର ଆନନ୍ଦ ବଜାର

    କୋଇଲି ବୈକୁଣ୍ଠ ପୁର

ବାଇଶି ପାହାଚ ଚଢିନି ତୋହର

    ଯାଇନି ତୋ ସ୍ୱର୍ଗଦ୍ୱାର ।

ଦେଖିନି ଅରୁଣ ତୋ ଗରୁଡ ସ୍ତମ୍ଭ

କଳ୍ପବଟେ ତୋର ରଖିନିରେ ପାଦ

   ଅନନ୍ତ ଶୟନ ତୋର । 


ଶୁଣିଛି କାଳିଆ ଆଷାଢ ମାସର 

    ଶୁକ୍ଳ ଦ୍ୱିତୀୟା ତିଥିରେ 

ଭକ୍ତ ପାଇଁ ଘୋଷଯାତ୍ରା କରୁଥାଇ

   ବାହାରି ବଡ ଦାଣ୍ଡରେ ।

ସଙ୍ଗରେ ଧରିଣ ଭାଇ ଭଉଣୀଙ୍କୁ 

    ଛାଡି ରତ୍ନ ସିଂହାସନ 

ବଡଦାଣ୍ଡେ ମହା ମିଳନ ଘଟଇ

   ଭକ୍ତେ କରନ୍ତି ଦର୍ଶନ ।

ତିନି ରଥେ ତିନି ଦିଅଁ ବସି ଥାଅ

ଅପଲକ ନେତ୍ରେ ଭକ୍ତ ଦେଖୁଥାଅ

    ଭକତ ଜୀବନ ତୋର ।


ପୃଥିବୀ ପ୍ରସିଦ୍ଧ ତୋର ଘୋଷଯାତ୍ରା 

    ଆସନ୍ତି ଭକତେ ଧାଇଁ 

ଶ୍ରଦ୍ଧା ଭକତିର ବିଶ୍ୱାସେ ତୋ ରଥ

    ଦଉଡି ଟାଣିବା ପାଇଁ । 

ବଳଭଦ୍ର ଯାଆନ୍ତି ତାଳଧ୍ୱଜ ରଥେ

    ସୁଭଦ୍ରା ଦେବ ଦଳନ

ନନ୍ଦିଘୋଷ ରଥେ ପ୍ରଭୁ ଜଗନ୍ନାଥ 

    ଭକ୍ତେ କରନ୍ତି ଦର୍ଶନ ।

ମାତଳି ଅର୍ଜୁନ ଦାରୁକ ସାରଥୀ

ବାହୁ ଥାନ୍ତି ରଥ ଉପରେ ସେ ବସି

     ତୋ ଯାତ୍ରା କେଡେ ସୁନ୍ଦର ।


ଗଜପତି ରାଜା ଛେରା ପହଁରା ତ

   ରଥରେ ଆସି କରନ୍ତି 

ପଣ୍ଡା ପରିହାରୀ ସେବା ତୋ କରନ୍ତି 

    ଡାହୁକ ଡାକ ଦିଅନ୍ତି ।

ଘୋ ଘୋ ଶଦ୍ଦ ନାଦେ ପୁରୀ କମ୍ପେ

    ଘୋଷଯାତ୍ରା ତୋର ହୁଏ

ଟାହିଆ ହଲେଇ ଆସୁଥାଉ ଝୁଲି

    ଭକ୍ତ ଛୁଅ ଛୁଟି ଥାଏ ।

ଛୁଆଁ ଅଛୁଆଁ ତୋ ଭେଦ ଭାବ ନାହିଁ 

ଯେ ଆସେ କୋଳେଇ ତାକୁ ନେଉ ତୁହି

     ଦେଖାଇ କେତେ ଆଦର ।


ଏଇ ଘୋଷଯାତ୍ରେ ଭକ୍ତ ବଳରାମ 

    ବାଲି ରଥେ ବିଜେ କଲ

ଅନ୍ତର ପବିତ୍ର ଦେଖି ଜଗନ୍ନାଥ 

    ଭକ୍ତ ମାନ ରଖି ଦେଲ ।

କିଏ କହେ ରଥଯାତ୍ରା ୟାକୁ ପୁଣି

   କେ କହେ ଗୁଣ୍ଡିଚା ଯାତ୍ରା 

ଶିରୀକ୍ଷେତ୍ର ଯାତ୍ରା କହୁଥାଏ କିଏ

   କିଏ କହେ ଘୋଷଯାତ୍ରା ।

ମାଉସୀ ମାଆଙ୍କ ମନ୍ଦିରକୁ ଯାଇ

ମହା ଆନନ୍ଦରେ ପୋଡ ପିଠା ଖାଇ

   ଫେର ପ୍ରଭୁ ଶ୍ରୀମନ୍ଦିର ।


ନଅ ଦିନ ତୁମ ଏଇ ଘୋଷଯାତ୍ରା

    ମହାଲକ୍ଷ୍ମୀ ରୋଷ ହ୍ୱନ୍ତି 

ରାଗି ଯାଇ ରଥ କାଠ ହସ୍ତେ ଭାଙ୍ଗି

    ଅଭିମାନେ ବସି ଯାନ୍ତି ।

ବାହୁଡା ଯାତ୍ରାକୁ ସାରି ମହାପ୍ରଭୁ 

    ଆସି ମହାଲକ୍ଷ୍ମୀ ପାଶେ

ରସଗୋଲା ଖୋଇ ମାନ ଭାଙ୍ଗି ଥାନ୍ତି

    କେତେ ସେନେହ ସନ୍ତୋଷେ । 

ବରଷକୁ ଥରେ ଘୋଷଯାତ୍ରା ହୁଏ

ଭକତ ହୃଦୟେ ଛାପି ରହି ଥାଏ 

     ବନ୍ଧନ ଯୁଗ ଯୁଗର ।


ଷୋହଳ ଚଉଦ ବାରଟି ଚକରେ

    ରଥ ପ୍ରଭୁ ଗଢା ଯାଏ

ସେ ନିମ୍ବ ଦାରୁରୁ ବିଗ୍ରହ ବି ପ୍ରଭୁ

   ନିର୍ମିତ ଯେ ହେଇଥାଏ ।

କେତେ ଖୁସି ଲାଗେ ତୋର ଘୋଷଯାତ୍ରା 

    କଥାରେ କହି ନୁହଁଇ 

ପ୍ରଭୁ ଭକତର ମିଳନ ଏମିତି 

    ଥାଏ ଯୁଗ ଯୁଗ ପାଇଁ ।

ଖାତିରି ନ କରି ଖରା ବରଷାକୁ

ଆସି ଥାନ୍ତି ଭକ୍ତ ତୋ ଘୋଷଯାତ୍ରାକୁ

    ଶରଣ ଯାନ୍ତି ପୟର ।


Rate this content
Log in

Similar oriya poem from Abstract