ଘନଘନ ଘନାଘନ ବରଷିଲେ
ଘନଘନ ଘନାଘନ ବରଷିଲେ


ଅନମ୍ବରରେ ଅମୋଘ ମେଘ ଆସିଲେ,
ଗଗନରୁ ଘନଘନ ଘନାଘନ ବରଷିଲେ,
ଝରଝର ଝରାଝୋର ବୃଷ୍ଟିପାତ କରିଲେ,
ଉତ୍ତପ୍ତ ମହୀରେ ଆର୍ଦ୍ରତା ଶୈତ୍ୟ ଆଣିଲେ |୧|
ପରବଶ ତରୁ-ଲତା ପୁଲକିତ ହୋଇ ଗଲେ,
ଗଛପତ୍ର ଉପରେ ବର୍ଷା-ବିନ୍ଦୁ ନାଚି ଚାଲିଲେ,
ଜଳଧର ଜଳାଶୟକୁ ଜଳମୟ କରି ଚାଲିଲେ,
ପ୍ରାକୃତିକ ପରିବେଶକୁ ପରିଚ୍ଛନ୍ନ କରି ଦେଲେ |୨|
ଝିପିଝିପି ବର୍ଷାର ଛିଟା ସନ୍ତୋଷ ଦେଇ ଚାଲେ,
ବର୍ଷଣ ବାୟୁର ଅନନ୍ୟ ମେଳଣ ହୋଇ ଚାଲେ,
ଆଶ୍ୱସ୍ତ ଅବନିରେ ଭିନ୍ନ ପ୍ରତିଧ୍ୱନି ହୋଇ ଚାଲେ,
ମୃତ୍ତିକାରୁ ଏକ ନିଆରା ମହକ ଆସି ଆସି ଚାଲେ |୩|
ମେଘମାଳର ପରଦା ସୂର୍ଯ୍ୟ ଚନ୍ଦ୍ର ତାରାଙ୍କୁ ଲୁଚାଇ ଚାଲେ,
ମେଘନାଦ ମେଘଜ୍ୟୋତିର ସନ୍ଦର୍ଶନ ଦେଇ ଦେଇ ଚାଲେ,
ଇନ୍ଦ୍ରଧନୁର ଐନ୍ଦ୍ରଜାଲିକ ସପ୍ତରଙ୍ଗ ବର୍ଣ୍ଣାଳି ଦେଖେଇ ଚାଲେ,
ଘନଘନ ଘନାଘନ ବରଷିଲେ ପାଗ ପରିଧି ଭିଜି ଭିଜି ଚାଲେ |୪|