ଗଛରୁ ଓଷଦ
ଗଛରୁ ଓଷଦ
ପରିବେଶ ପାଇଁ ଗଛ ଗୋ
ଫୁଲ ବଉଳବେଣୀ
ନୋହିଲେ ଜୀବନ ତୁଚ୍ଛ ଗୋ
ଫୁଲ ବଉଳବେଣୀ
ଅମ୍ଳଜାନ ଦିଏ ଜୀବନ ବଞ୍ଚାଏ
ଚାରିଆଡେ ଲଗା ଗଛ ଗୋ
ଫୁଲ ବଉଳବେଣୀ ll
ତୁଳସୀ ଗଛର ପତ୍ର ଗୋ
ଫୁଲ ବଉଳବେଣୀ
ସଭିଙ୍କର ସେହୁ ମିତ୍ର ଗୋ
ଫୁଲ ବଉଳବେଣୀ
ନିତି ପୂଜା କରି ଦୁଇଟା ଖାଇଲେ
ଥଣ୍ଡା କାଶ ହୁଏ ହତ ଗୋ
ଫୁଲ ବଉଳବେଣୀ ll
ବେଲ ପତ୍ର ଆଣ ତୋଳି ଗୋ
ଫୁଲ ବଉଳବେଣୀ
ସ୍ୱାସ୍ଥର ଅଟଇ ଶିରୀ ଗୋ
ଫୁଲ ବଉଳବେଣୀ
ମରିଚ ମିଶାଇ ନିତି ଖାଉଥିଲେ
ପେଟ ଦୋଷ ଯାଏ ହରି ଗୋ
ଫୁଲ ବଉଳବେଣୀ ll
ଲେଉଟିଆ ଶାଗ ଭଜା ଗୋ
ଫୁଲ ବଉଳବେଣୀ
ଓଡ଼ିଆ ପଖାଳେ ଖୋଜା ଗୋ
ଫୁଲ ବଉଳବେଣୀ
ଶାଗଙ୍କ ମଧ୍ୟରେ ସାର ଅଟେ ସିଏ
ପୃଷ୍ଟି ଦେବାରେ ତ ରାଜା ଗୋ
ଫୁଲ ବଉଳବେଣୀ ll
ଭୃସଙ୍ଗ ପତ୍ରର ଗୁଣ ଗୋ
ଫୁଲ ବଉଳବେଣୀ
କେହି ନୁହେଁ ତାର ସମ ଗୋ
ଫୁଲ ବଉଳବେଣୀ
ନିତି ଖାଉଥିଲେ ଖାଲି ପେଟେ ତାକୁ
ବହୁ ମୂତ୍ରର ସେ ଯମ ଗୋ
ଫୁଲ ବଉଳବେଣୀ ll
ଅଳସି ମଞ୍ଜିର ତେଲ ଗୋ
ଫୁଲ ବଉଳବେଣୀ
ବଇଦ ସାଙ୍ଗରେ ଗେଲ ଗୋ
ଫୁଲ ବଉଳବେଣୀ
ନିତି କରୁଥିଲେ ରୋଷେଇ ସେଥିରେ
ଉଚ୍ଚ ରକ୍ତଚାପ ଦୂର ଗୋ
ଫୁଲ ବଉଳ ବେଣୀ ll
ଜାମୁକୋଳି ଗଛ ମଞ୍ଜି ଗୋ
ଫୁଲ ବଉଳବେଣୀ
ଆଣ ଜ୍ୟେଷ୍ଠ ମାସେ ଖୋଜି ଗୋ
ଫୁଲ ବଉଳବେଣୀ
ଚୁନା କରି ତାକୁ ଚାମଚେ ଖାଇଲେ
ବହୁମୂତ୍ର ଯିବ ହଜି ଗୋ
ଫୁଲ ବଉଳବେଣୀ ll
ଲିମ୍ବ ଗଛ ପତ୍ର ପିତା ଗୋ
ଫୁଲ ବଉଳବେଣୀ
ଦେହକୁ ଅଟଇ ହିତା ଗୋ
ଫୁଲ ବଉଳବେଣୀ
ଚର୍ମ ରୋଗ ଆଉ ବହୁମୂତ୍ର ରୋଗୁଁ
ଖାଇଲେ ହୁଅନ୍ତି ଜିତା ଗୋ
ଫୁଲ ବଉଳ ବେଣୀ ll
ତୋଳି ଆଣ ବ୍ରାହ୍ମୀ ଶାଗ ଗୋ
ଫୁଲ ବଉଳବେଣୀ
ଗୁଆ ଘିଏ ଭାଜ ଆଗ ଗୋ
ଫୁଲ ବଉଳବେଣୀ
ପତରେ ପତରେ ପରଷି ଦେବା ଗୋ
ଧିଶକ୍ତି ହେବ ପୂର୍ଣ୍ଣାଙ୍ଗ ଗୋ
ଫୁଲ ବଉଳବେଣୀ ll
