STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଗାଉଁଲି

ଗାଉଁଲି

1 min
253

ନିହାତି ସରଳ ନିରୀହ ନିଷ୍ପାପ

ଲୋକଗୁଡ଼ାକ ଯିଏ ଜାଣି ନାହାଁନ୍ତି

ତୁମ ପରି ଛନ୍ଦ କପଟ ପ୍ରପଞ୍ଚ

ଜାଣିନାହାଁନ୍ତି ଟାଉଟରି ଦୁନିଆଦାରୀ

ତୁମ ଭାଷାରେ ଅଟନ୍ତି ଗାଉଁଲି ମଫ

ତୁମ ମତରେ ଶିକ୍ଷା ଦୀକ୍ଷା

ସଭ୍ୟତାର ଉନ୍ମେଷ ଘଟି ନାହିଁ

କୁଆଡ଼େ ତାହାଙ୍କ ପାଖରେ

କି ନିକଟ ଭବିଷ୍ୟତରେ

ଘଟିବାର ସମ୍ଭାବନା ମଧ୍ୟ ନାହିଁ।

କେବେ ଦେଖିଛ କି ଆପଣାକୁ

କେବେ ପଚାରିଛ କି ନିଜକୁ

କେବେ କରିଛ କି ଅନ୍ତର୍ମନ୍ଥନ

ଆତ୍ମସମୀକ୍ଷା ଫୁରୁସତ୍ ସମୟରେ

ଦୁନିଆର ବିଖ୍ୟାତ ବିଶ୍ବବିଦ୍ୟାଳୟରୁ

ସମସ୍ତ ଶିକ୍ଷା ପ୍ରାପ୍ତ କରି

ବିଭିନ୍ନ ଉପାଧିରେ ବିଭୂଷିତ ବିମଣ୍ଡିତ

ହୋଇ କଣ ବା ତୁମେ କରିଛ

ସେଇ ଚିର ଅବହେଳିତ

ଅନଗ୍ରସର ଗାଉଁଲି ଲୋକଙ୍କ ପାଇଁ?

ହଁ, ନିଃସନ୍ଦେହରେ ସେମାନେ ଗାଉଁଲି

ନିରକ୍ଷର ଅପାଠୁଆ ଗଜମୁର୍ଖ

କିନ୍ତୁ ସେମାନଙ୍କର ହୃଦୟଟା ତ

ଗୋଟିଏ ଗୋଟିଏ ଦୁର୍ମୂଲ୍ଯ ହୀରାଖଣ୍ଡ

ଦୁର୍ଲଭ ବିରଳ ପଦ୍ମରାଗ ମଣି

ତୁମ ପରି ତ ସେମାନେ ନୁହଁନ୍ତି

ବହୁରୂପୀ ପିହୁଳା ଏଣ୍ଡୁଅ

ଘଡିକି ଘଡି ତୁମ ପରି ବଦଳେ ନାହିଁ

ସେମାନଙ୍କର ରଙ୍ଗ ରୂପ ବଚନ

ବର୍ଷାକୁ ଛତା ନ୍ୟାୟରେ।

ସେମାନେ ଜୀଉଁଛନ୍ତି ଆପଣାର ଜୀବନ

ନ୍ୟାୟ ନୀତି ଧର୍ମର ଆଧାରରେ

ସେଇଥିପାଇଁ ତ ସେମାନେ ଗାଉଁଲି

ପରଧନରେ ଆଶା ନାହିଁ ବୋଲି ତ

ଚିରଦିନ ଦାରିଦ୍ର୍ୟର କଷାଘାତରେ

ଜର୍ଜରିତ ତଥାପି ସ୍ବାଭିମାନର

ମହାଧନରେ ଢେର୍ ଧନାଢ୍ୟ ଏଇମାନେ

ସେଇଥିପାଇଁ ତ ତୁମେ ଇର୍ଷାନ୍ବିତ ବିବ୍ରତ

କାରି ଏଇ ଅପାଠୁଆ ଲୋକଗୁଡ଼ାକ

ତୁମ ଠାରୁ ସୁଖୀ ଜୀବନର ପ୍ରତିଟି ପାଦରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract