ଗାଁ ରୁ ସହର
ଗାଁ ରୁ ସହର
ଏଇ ଗୋଟେ କାହାଣୀ କହୁଛି ଶୁଣ
ମାଆ ପାଖୁ ଶୁଣି କରିଛି କବିତା ଲିଖନ
ତା'ର ନିଜ କଥା ତା'ର ଜୀବନ କାହାଣୀ
ଆଗକୁ ପଢ଼ିଲେ ନିଶ୍ଚେ ପାରିବେ ଜାଣି।
ଆଈ କହୁଥିଲା ବୁଝେଇ ମାମୁଁଙ୍କୁ
ଝିଅ ଜନମ ଯେ ପର ଘରକୁ
ଦେଲି ମୁଁ ଝିଅ ଯେ ଏତେ ଦୂରକୁ
ବିକଳ ହୁଏ ମନ ବରଷକେ ଥରେ ଦେଖିବାକୁ।
ଗାଁ ରୁ ସହର କେତେ ଯେ ଦୂର
ଏମିତି ମାନ୍ଧାତା ଅମଳିଆ ଗାଁ ଆମର
ଚାଲେ ନାହିଁ ଗୋଟିଏ ବି ଗାଡ଼ି ମଟର
କେମିତି ଯିବି ଥରେ ଦେଖିବାକୁ ଝିଅର ଘର।
ମାମୁଁ ବଡ଼ ହୋଇ ପାଠପଢ଼ା ପାଇଁ
ଉଚ୍ଚଶିକ୍ଷାରେ ସେ ମେଧାବୃତ୍ତି ପାଇ
ସହର ଆସିବେ ସଭିଙ୍କୁ ନେଇ
ମାଆ ପାଖକୁ ଦେଲେ ଚିଠି ପଠାଇ।
ମାଆ ଗୋଡ଼ ତଳେ ଲାଗୁ ଯେ ନାହିଁ
ବାର ବରଷର ଅପେକ୍ଷା ଏହି
ଅନେକ ମିଠା ପିଠା ଆଣନ୍ତି ବୋହି
ଖାଲି ହାତରେ ଗଲେ ଇଜ୍ଜତ ମହତ ରହିବ ନାହିଁ।
ସତରେ ସେଦିନ କେମିତି ଥିଲା
ଗାଁ ରୁ ସହର ଆସିବା ସପନ ଭଲା
ଥରୁଟିଏ ଯିଏ ଆସି ଯାଉଥିଲା
ହାବଭାବ ତା'ର ବଦଳି ଯାଉଥିଲା।