ଗାମୁଛା
ଗାମୁଛା
ତିନ୍ତି ଗଲେ ବର୍ଷାରେ
ବେଳ ଅବେଳ କି ସକାଳ ସଂଜରେ
ଉଡା ପବନର ଧୂଳି ବାଲି ଝଡ଼ରେ
ଅବା ଶ୍ରମ ସାଧନର କ୍ଳାନ୍ତ ମୁହୂର୍ତ୍ତରେ
ଭିଜା ଭିଜା ଦେହର ବତୁରା ମଳି
ଝାଳରେ ଝାଳେଇ ଯାଇ
ନିହାତି ଅଛୁଆଁ ଲାଗିଲା ପରି
ହୁଏ ଯେବେ ନିଜର କି ଅନ୍ୟ ପାଖରେ
ଗାମୁଛା ହୁଏ ସବୁଠାରୁ ବେଶି ଲୋଡା
ଘସି ମାଜି ପୋଛି ଦିଏ ସେ
ନିଗିଡି଼ ପଡୁଥିବା ଦୁଃଖ ମେହନତିର
ଯେତେ ଅବସାଦ ଗ୍ଳାନିକୁ
ସଫାସତୁରା କରି ରଖେ ଏ ଶରୀର
କରେନା କିଛି ଆପତ୍ତି ବି ଥରେ
ଦାମୀ ପୋଷାକ ପ୍ରସାଧନ ଅଳଙ୍କାର
ମୂଲ୍ୟଠାରୁ ଏହାର ମୂଲ୍ୟ
ହୋଇଥିଲେ ବି ଊଣା
କରି ଚାଲିଥାଏ ସଦା ଉପକାର
କେହି ବି କେବେ ନ ଥିଲେ ପାଖରେ
ମେଲାଇ ଦେଇ ତାର ସମଗ୍ର ପୃଷ୍ଠ
ଅବଶ ଦେହକୁ ବିଶ୍ରାମ ଦିଏ
ଗଛମୂଳ ଗହଳ ଛାଇରେ ଶୁଆଇ
ମୁଣ୍ଡଠୁ ହାତ ଗୋଡ଼ ସନ୍ଧି ସ୍ଥାନ
ସବୁର ନିଏ ଯତ୍ନ ମାଆର ପଣତ ପରି
ଗାଧୁଆ ପାଧୁଆ ହାତଧୁଆ ପରେ
ବନ୍ଧୁ ପରି ହୁଏ ଯଥେଷ୍ଟ ସହାୟକ
ଗାମୁଛାର ସେବା ତ୍ୟାଗ ଅନନ୍ଯ
ଗରିବ କି ଧନୀ ତା' ପାଖରେ
ସବୁ ବର୍ଗର ସମସ୍ତେ ସମାନ
ଯେତେ କାମ କରୁଥାଏ ଖୁସିରେ
ଛିଡି଼ଗଲେ ଛିଡାକନାଟିଏ ହୋଇ ବି
କରୁଥାଏ ସେ ଯାବତୀୟ ସଫେଇ
ଗାମୁଛାର ଅବଦାନ ଅତୁଳନୀୟ
ମନଟା ଯଦି ଗୋଟେ ଗାମୁଛା ପରି ହୁଏ
ସେବା ମନୋଭାବ ରଖି
ସାରା ସଂସାରକୁ ସେ କରି ଯିବ ଜୟ।