ଏତିକି ଆଶିଷ ଥାଉ
ଏତିକି ଆଶିଷ ଥାଉ
ମାଆର ମମତା ନଭୁଲି କାଳିଆ
ପହଣ୍ଡି ଆଜି କଲାଣି,
ନବଦିନ ଯାତ୍ରା କରିବେ ମୋହନ
ମନ ଉଚ୍ଛନ୍ନ ହେଲାଣି ।
ପତିତ ଉଦ୍ଧାରି ଦୁଷ୍ଟଙ୍କୁ ନିବାରି
ରଥେ ବିଜେ ଜଗନ୍ନାଥ,
ରଥ ଜଗନ୍ନାଥ ପଥ ଜଗନ୍ନାଥ
ପୂର୍ଣ୍ଣ ପ୍ରଭୁ ଜଗନ୍ନାଥ ।
ଶ୍ରୀଗୁଣ୍ଡିଚା ଡାକେ ଆସିବ କାଳିଆ
ପଥ ରହିଅଛି ଚାହିଁ,
ଟାହିଆ ହଲେଇ ଯିବତ କହ୍ନେଇ
ଭକତକୁ ନିଘା ନାହିଁ ।
ଭକତ ଆଖିରେ ନୀର ଆଜି ଝରେ
ଦର୍ଶନେ ବଞ୍ଚିତ ହେଲା,
ରଥର ଦଉଡି ଅଣ୍ଟାରେ ତା ଭିଡି
ପୂତ ହେବ ଆଶା ଥିଲା ।
ସବୁ ଆଶା ଆଜି ଉଜୁଡି ଯାଇଛି
ଭକ୍ତ ଶୂନ୍ଯ ରଥଯାତ,
କେମିତି ସହିଛୁ ଜଗତ ବାନ୍ଧବ
ଭକ୍ତ ବିକଳ ଆରତ ।
ଭକ୍ତ ଜୀବ ଧନ ହେ ମଧୁସୂଦନ
ଭକ୍ତ ବିନା ନ ରୋଚଇ,
ମାଆକୁ ହେଜିଲୁ ଯାତ୍ରାରେ ମଜ୍ଜିଲୁ
ଭକତ ଭୁଲିଲୁ ତୁହି ।
ମାଉସୀ ମାଆର ପୋଡପିଠା ଖାଇ
ଆନନ୍ଦରେ ଯିବୁ ତୁହି,
ଆକୁଳେ ଆରତ କରେ ଯେ ଭକତ
ତୋର ଦରଶନ ପାଇଁ ।
ଭୋଗେ ଭୟ ପ୍ରଭୁ ରୋଗରେ ତ ଭୟ
ଭୟ ପୁଣି ମହାମାରୀ,
ତୁମେ ଥାଉଁଥାଉଁ ଅନ୍ଧାର ଘୋଟିଲା
ଦଳି ନଦିଅ ଗୁହାରି ।
ଭକତ ତୋହର ମନ ବଡଦାଣ୍ଡେ
ବସିଅଛି ବାଟ ଚାହିଁ,
ଉଣା ନକର ହେ, କରୁଣା ତୋହର
ମୋ ପ୍ରଭୁ ଜଗତସାଇଁ ।
କୋଟି ଓଡିଆର ମଉଡ ମଣିତୁ
ଚରଣରେ ତୋ ଶରଣ,
ନହୋଇ ନିର୍ଦ୍ଦୟ ଆହେ ଦୟାମୟ
ଦୂର କର ହେ କଷଣ ।
ଲୋଭ ମୋହ ମାୟା ଭରିଛି ମୋ କାୟା
ମୁକୁଳି ମୁଁ ନ ପାରଇ,
ଟେକି ଚଉ ବାହା ହୁଅ ପ୍ରଭୁ ସାହା
ପ୍ରାଣ ସମର୍ପି ଦିଅଇ ।
ସେବାରେ ତୋହର ମନ ଏ ଦାସର
ନିରନ୍ତରେ ରହିଥାଉ,
ମାଗେ ମହାପ୍ରଭୁ ଚରଣେ ତୋହର
ଏତିକି ଆଶୀଷ ଥାଉ ।
