STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଏରୁଣ୍ଡି ବନ୍ଧ

ଏରୁଣ୍ଡି ବନ୍ଧ

1 min
211


ଚାରିଖଣ୍ଡ କାଠର ସଦୃଶ୍ୟ ସମାହାର

କୁଶଳୀ କାରିଗରର ଶାଣିତ ନିହାଣ ମୁନରେ

ଫୁଟି ଉଠିଛି ଅପୂର୍ବ ଶୋଭାରେ ତା'ର କଳେବର

ପ୍ରତିଟି ଗୃହର ସଦର ପ୍ରବେଶ ପଥ

ମାନ ସମ୍ମାନର ଗର୍ବ ଗୌରବର ମୁଖଶାଳା

ଏଇ ଚଉକାଠ ସମ୍ମୀଳିତ ସୁଦୃଢ଼ ଏରୁଣ୍ଡିବନ୍ଧ!

ଯେବେ ମୁଁ ଅବୋଧ ଶିଶୁଟିଏ ଥିଲି

ଏରୁଣ୍ଡି ବନ୍ଧରେ କେବେ କେବେ ବସି ରହିଲେ

ସଭିଏଁ କହନ୍ତି "ଜଲଦି ସେଠୁ ଉଠିପଡ,

ନଚେତ୍ କରଜ ବଢିବ!"

କିଛି ମୁଁ ବୁଝି ପାରେନି ଏଇ

ଢଗଢମାଳି ବା ଅନ୍ଧବିଶ୍ବାସର ମର୍ମ

ବାଧ୍ଯ ହୋଇ ଓହ୍ଲାଇ ଯାଏ ମୁଁ ଏରୁଣ୍ଡିରୁ

ଅବା କେହି ଟାଣିଆଣେ ମୋତେ ତଳକୁ !

ଯେବେ ମୁଁ ନବବଧୂ ସାଜିଲି

ଗୋଟିଏ ଘରର ମାନ ସମ୍ମାନକୁ

ଛାତିରେ ଜାବୋଡ଼ି ଧରି ଆଉ ଗୋଟିଏ ଘରର

ଏରୁଣ୍ଡି ବନ୍ଧ ଡେଇଁଲି ଶଙ୍କିତ ମନରେ

ହିତୈଷୀଗଣଙ୍କୁ କହିବାର ଶୁଣିଲି,

"ନାରୀ ଥରେ ଏରୁଣ୍ଡି ବନ୍ଧ ଡେଇଁଲେ,

ଚିରକାଳ ଏରୁଣ୍ଡିର ବନ୍ଦୀ !"

ସେବେ ବି ମୁଁ କିଛି ବୁଝି ପାରିନଥିଲି

ମନେ ମନେ କଥାର ତତ୍ତ୍ବ ଖୋଜୁଥିଲି

ଏତିକି ବେଳେ ପଡିଶାଘରର ଚୁଲ୍ ବୁଲି

ଅଭିଆଡ଼ି ଝିଅଟା ଚାଲିଗଲା ରାତିଅଧରେ

କେଉଁ ଗୋଟେ ବଜାରୀ ପୁଅର ହାତ ଧରି

ସାହି ଭାଇ ସଭିଏଁ କୁହାକୁହି ହେଲେ,

"କୁଳଟା କୁଳରେ ନିଆଁ ଦେଇ ଦେଲା !"

ଏବେ ମୁଁ ସବୁକୁ ସଠିକ୍ ବୁଝି ପାରୁଛି

ନାରୀ ଜନ୍ମଟା କାଳ କାଳ ଧରି

କେବଳ ଏରୁଣ୍ଡି ବନ୍ଧରେ ସୀମିତ

ସ୍ବାଧୀନତାକୁ ଲୁଟାଇ ଶଣ୍ଠଣାର ବେଡିରେ

ଚିରକାଳ ବାନ୍ଧି ହୋଇ

ଏରୁଣ୍ଡି ଭିତରେ ରହିଲେ ହିଁ

କୁଳବଧୂ ଭୁଆସୁଣୀ ଧନ୍ଯା ବରେଣ୍ୟା

ସମସ୍ତ ସମ୍ମାନର ଅଧିକାରିଣୀ

ଏରୁଣ୍ଡି ଲଂଘିଲେ କୁଳଟା !

ମଡା ହିଁ ନ୍ଯାୟତଃ ପାଇଛି ଅଧିକାର

ଲଂଘିବାକୁ ଏରୁଣ୍ଡି ବନ୍ଧର ଅଲ୍ଲଂଘନୀୟ ପ୍ରାଚୀର !

ନାରୀଟିର ଜନ୍ମ କ'ଣ କେବଳ

ବଢାଇବାକୁ ଶୋଭା ଘର କୋଣର ?

ଶ୍ମଶାନ କ'ଣ କେବଳ ଗନ୍ତବ୍ୟ ତାହାର ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract