ଏଣ୍ଡୁଅ
ଏଣ୍ଡୁଅ
-ସତ କହ; ତୁ ଏବେ ଯୋଜନା ମୁତାବକ ରଙ୍ଗ ବଦଳାଇ ପାରୁଛୁ ନା' ନାହିଁ !
-ଆଉ କହିବାକୁ କ’ଣ ବାକି ରଖିଛି! ଏକଦମ୍ ଫିଟ, ଆଉ ତୁ ?
-ଶପଥ କରିଥିଲୁ ନା! ଦେଖାହେଲେ ଦେଖିବୁ; ତୋ' ଠାରୁ ଦୁଇ ପାଦ ଢେର ଆଗରେ ।
- ଆହାଃ; ଖୁସି କରାଇଦେଲୁରେ ସାଙ୍ଗ।
ଫୋପାଡୁ ନାହୁଁ ତ !
- ଧେତ୍...! ଅତି କମରେ ସାଙ୍ଗ; ତୋ' ସଙ୍ଗେ ତ ଆଦୌ ନୁହଁ।
-ଏକଦମ୍ ପରଫେକ୍ଟ୍ ଡିସିସନ୍ ଥିଲା।
-ତା' ହେଲେ ଆମେ ଦୁହେଁ ସମ୍ପୂର୍ଣ୍ଣ ନୂତନ ପ୍ରଜାତିର ଏଣ୍ଡୁଅ ପାଲଟି ସାରିଲୁଣି।
- ଏକବାର ସଫଳ! ହାଃ ହାଃ ହାଃ…
- କେତେ ହଇରାଣ ହୋଉଥିଲୁ; ମନେ ପକାଇଲୁ। ଜୀବଟା ଯେତେ ଛୋଟିଆ ହେଉ; ଯାହା କହ: ତା' କାୟା କୌଶଳ କାମଦେଲା ।
-ଆଉ ତାକୁ ଛୋଟମୋଟ ଜୀବ ବିବେଚନା ରଖନା, ଆମେ ବି ତାହାରି ପ୍ରଜାତି। ସେ ନ ଥିଲେ; ଆମେ ଛିଡ଼ା ହୋଇପାରି ନ ଥାନ୍ତୁ।
ସେଇଥି ଲାଗେ ତ ପ୍ରାସାଦ ସାମ୍ନାସାମ୍ନି ଏକ ବଡ଼ ରଙ୍ଗିନ୍ ଏଣ୍ଡୁଅର ପ୍ରତିକୃତିଟେ ତିଆରି କରାଇ ରଖିଛି। ଯେଉଁଆଡେ ବାହାରେ; ତାହାକୁ ସ୍ମରଣ କରି ଆଗକୁ ବଢେ ।
-ବାହାଃ..!
-ସତ; ଆମେ' ଆଜି ଏ ସମାଜର ବଡ଼ ମୁଣ୍ଡ । ତୁ ନେତା ଆଉ ମୁଁ ଅଭିନେତା । ସ୍ଥିତି ଦେଖି ରଙ୍ଗ ନ ବଦଳାଇ ଥିଲେ; ସଫଳ ହୋଇ ନ ଥାନ୍ତେ।
ଅନେକ ବିଫଳତା ଚାଖିଛୁ। ସବୁ ଆଦର୍ଶ , ସଂସ୍କାର, ପରାମର୍ଶ ଆଦି ତୁଚ୍ଛା, କେହି କେବେ କ'ଣ ଆସି ଛିଡାହେଲେ ? ଛଳନା, ଆଶ୍ୱାସନା ଆଉ ତାତ୍ସଲ୍ଯ ପୁଳାକେ !
- ଯାହା କହ ନିଜବାଟ ନିଜେ ଖୋଜିବାକୁ ପଡେ। ସଫଳତା ପାଇବା ପରେ ଲୋକ ତାଳି ମାରନ୍ତି, ଯେପରି ହେଉ, ଖୁଣ କାଢିଲା ମଣିଷ ଏ ସମାଜରେ ବିଫଳ ଓ ଉହ୍ଯପୋଡା ଗୁଡାକ । ଦେଖୁନୁ ଆମ ପଛରେ ହାତପ୍ରସାରୀ ଗୋଡାଉଛନ୍ତି। ହତଭାଗା ନିତିବାଣୀରେ ହାତଗୋଡ଼ ବନ୍ଧା ସେତକ; ସେଇମିତି ଜୀଅନ୍ତା ନର୍କ ଭୋଗିବ।
-ଛାଡ଼ ସେମାନଙ୍କ କଥା, କଣ ଅବା ମିଳିବ। ଦିଓଟି ପଥରେ ଚାଲିଚାଲି ଗୋଡ଼ରୁ ପାଣି ମାରିବା ଯାହା।
ଏବେ ଯାଇ ସଳଖି ପାରିଛୁ । ଦୋ' ଛକିରେ ଆଉ ଛିଡା ନୋହୁଁ ଆମ୍ଭେ । ସମୟକୁ ଦେଖାଇ ଦେଇଛୁ ପାରିବା ପଣିଆ । ଏବେ ତୋ' ଆଉ ମୋ' ର ପତିଆରା ।
-ସତରେ ବିଗତର ସାଇତା ସ୍ମୃତି ସବୁ ଲୋମ ଟାଙ୍କୁରା। ଭବିଷ୍ୟତଟା ଅନ୍ଧାରିଆ ବୋଧ ହେଉଥିଲା। ବଦଳାଇ ଦେଇପାରିଲା ତ ସେଇ ଆମ ଖଟିମାର୍କା; ଗାନ୍ଧୀ ପାର୍କଟା, ଆଜି ଆହୁରି କିଛି ମଧ୍ୟ ସମୟ କାଢି ଯାଇପାରିଲେ ଭିନ୍ନ କିଛି ଶିଖିହେବ !
ଗଲାବେଳେ ବୁଲେଟ୍ ପ୍ରୁଫ କାର ଭିତରୁ ପାର୍କ ଉପରେ ନଜର ପକାଏ । ସେ ପାର୍କରେ ଏବେ ବେଶି ଭିଡ଼ ବଢିଛି। ଜଣା ନାହିଁ ଆମଭଳି ସେମାନେ ଜୀବନର ସଂଜ୍ଞା ଖୋଜି ପାଉଛନ୍ତି ବା' ଭାବ ତାରକାପୁଞ୍ଜରେ ଲୀନ! ଦୂରରୁ ଯାହା ନିରୀକ୍ଷଣ କରିପାରିଛି; ଆହୁରି ଅନେକ ନୂଆରଙ୍ଗ ଦିଶୁଅଛି, ଆହୁରି ଥରେ ବାହାପ୍ରସାରୀ ନୂତନ କିଛି ଶିଖିଯିବାକୁ ସତେ ଅବା ଇଙ୍ଗିତ କରୁଛି।
- ଜାଣି, ମନଟାଣିଲାଣି।ସମୟ ବାହାର କର; ପୁଣି ଆଉ ନୂଆ କିଛି ଶିଖିବାକୁ ଯିବା ।
-ମୋର ବି ମନ କହୁଅଛି ଦୀର୍ଘ ଦଶନ୍ଧିପରେ ସେଠାକୁ ପୁନର୍ବାର ଯିବା। ନୂଆ ପ୍ରଜାତିର ଏଣ୍ଡୁଅ ସବୁକୁ ଖୁବ୍ ନିକଟରୁ ଦେଖିବା ଓ ତା' ରଙ୍ଗବଦଳା ଚତୁର ଉପାୟକୁ ଆହୁରି ତନ୍ନତନ୍ନ ନିରୀକ୍ଷଣ କରି କିଛି ନୂତନ ଶିଖିବା। ରୂପାନ୍ତର ପ୍ରକ୍ରିୟାକୁ ଆହୁରି ତର୍ଜମା କରିଲେ; ନବପିଢୀ ପାଖେ ଜିତାପଟ ମାରିହେବ । ଏହା ଭିତରେ ଆହୁରି ଅନେକ ନୂଆ ଧରଣର ରଙ୍ଗର ଉତ୍ପତ୍ତି ହେବଣି।
- ଆଗକୁ ଗାନ୍ଧୀ ଜୟନ୍ତୀ ରହିଛି । ଗାନ୍ଧୀଙ୍କ ପାର୍କକୁ ଯିବା, ଉଭୟେ ବିଶେଷ ଅତିଥି ରୂପେ। ଆଦର୍ଶଙ୍କୁ ସମ୍ମାନ ଅର୍ପଣ ଅନ୍ତେ; କିଛି ପୁରୁଣା ସ୍ମୃତିର ରୋମନ୍ଥନ କରିବା ।
- ସତ । ସମୟ କାଢ଼ ସାଙ୍ଗ, ଭାବନାରେ ଆଉ ଭାସିବାକୁ ବେଳ ନାହିଁ।
- ଯେତେ ବ୍ଯଗ୍ରତା ଥିଲେ ବି ଏକ ଆମେ ପୂର୍ବବତ୍ ସାର୍ବଜନୀନ ସ୍ଥାନରେ ଉପସ୍ଥିତ ହୋଇପାରିବା ନାହିଁ। ପରିଚୟର ଘଣ୍ଟି ବାନ୍ଧି ବସିଅଛୁ।
-ସେ ସିମେଣ୍ଟ ବେଞ୍ଚଟା ସେଠି ଅଛି ତ?
-ହଁ; ଅଛି, ପ୍ରେମୀ ଯୁଗଳଙ୍କ କରାୟତେ ।
ଇଚ୍ଛା; ସେଇ ପୁରୁଣା ସ୍ମୃତିଚାରଣ କରିବା ।ସେଇ କେବିନରୁ ସିଗାରେଟ୍ କିଣିବା, ଘାସ ଲନ ଉପରେ ବି ଗୋଡ଼ ଲମ୍ବାଇ ଚକ୍ରାକାର ଧୂଆଁ ଫିଙ୍ଗିବା। ଏଥର ବନ୍ଧୁମିଳନଟା ଜମିବ।
-ଶିଖିଥିବା ପୂରୁଣା ଘଷରା ହେଲାଣି, ମୁଁ ବି ଚାହେଁ; ପୁନଃ ସମୀକ୍ଷା ଏବଂ ସମୟର ନୂତନ ଆବଶ୍ୟକତା ।
- ଖ୍ଯାତିର ଦେଖାସାକ୍ଷାତକୁ ଅଯଥା ଭିଡ଼ ପ୍ରତିବନ୍ଧକ ହେବ। କିପରି ଅବା ସମ୍ଭବ !
- ଏଣ୍ଡୁଅର କୌଶଳ, ନିଜ ଖ୍ଯାତିର ରଙ୍ଗକୁ ଥୋଇବାକୁ ହେବ। ପଛଘୁଞ୍ଚାମାନଙ୍କ କୋଳାହଳକୁ ଦୂରେଇ ଦେଇ ପୁଣି ଏକାଠି ବସିବା । କଥୋପକଥନ ହୋଇପାରିବା ।
- କିନ୍ତୁ ଅନ୍ୟ ତିନି ବନ୍ଧୁ; ତିନି ଗାନ୍ଧୀଙ୍କ ଆଦର୍ଶ ବହୁପଛରେ ପଡିଗଲେ ଯେ !
- ଆଦର୍ଶକୁ କାନ୍ଧେଇ କାନ୍ଧେଇ ଅନ୍ଧାରରେ ବୁଲୁଥିବା ଖବର ପାଇଛି। ମୂର୍ଖ ଗୁଡାକ। ଆମଠାରୁ ଢେର ଅଧିକ ପଢି ସଙ୍ଘର୍ଷମୟ ଜୀବନ ବିତାଉଛନ୍ତି ।
-ତେବେ ଛାଡ଼ ସେଗୁଡାଙ୍କ କଥା । ପାଠଶାଳାର ଶିକ୍ଷାରେ ସେମାନେ ସୀମିତ। ପ୍ରଣୋଦିତ ଯୁଗ ଚକ୍ଷୁ ତାଙ୍କ ପାଶେ ଆଜନ୍ମୁ ନାହିଁ। ମନେ ରଖିଥା; ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ । ସମସ୍ତ କାର୍ଯ୍ୟ ସ୍ଥଗିତ କରାଇ ଏଣ୍ଡୁଅର ନୂତନ ରଙ୍ଗକୁ ଆହରଣ କରିବା । ଦୁଇ ହସ୍ତୀଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲେ ହେଁ ; ଆଗାମୀ ଦିନର ମୁଖ୍ୟ ପ୍ରସଙ୍ଗ ଗଣମାଧ୍ୟମରେ ଖେଳେଇ ହୋଇଯିବ। ମୁଖ୍ୟ ସମାଚାର ହେବ; ଆମ ସଭିଙ୍କର ପ୍ରିୟ ଅଭିନେତା ଓ ଆମ ଗଣତନ୍ତ୍ରର ଦିଗ୍ଗଜ ନେତାଙ୍କ ମହାତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ।
