ଏମିତି ନ ଥିବ କାଲି
ଏମିତି ନ ଥିବ କାଲି
ଆଜି ଯେଉଁ ନଈ ଲାଗୁଛି ପୂରିଲା
ଏମିତି ନ ଥିବ କାଲି
ଶୁଖି ପଡିଥିବ ପେଟଟି ତାହାର
ଦିଶୁଥିବ ତା'ର ବାଲି ।।
ଆଜି ଯେଉଁ ଫୁଲ ଫୁଟି ହସୁଅଛି
ଏମିତି ନ ଥିବ କାଲି
ସୁଖର ସପନ ତୁଟିଯିବ ତା'ର
ମାଟିକି ଯିବ ସେ ଚାଲି ।।
ଆଜି ଯେଉଁ ନଭ ଭରିଛି ମେଘରେ
ଏମିତି ନ ଥିବ କାଲି
କୁଆଡେ ସେସବୁ ହଜିଯିବ ସିଏ
ଦିଶୁଥିବ ଖାଲି ଖାଲି ।।
ଆଜି ଯେ' ଆଖିକୁ ଦିଶୁଅଛି ସାନ
ଏମିତି ନ ଥିବ କାଲି
ବଡ ହେବ ସିଏ ପିଲାଦିନ ତା'ର
ଦୂରେ ଦୂରେ ଯିବ ଚାଲି ।।
ଆଜି ଯେଉଁ କାମ ଲାଗେ ବିଷ ପରି
ଏମିତି ନ ଥିବ କାଲି
କାମେ ଥିଲେ କାମ ସୁଖଟି ଆଣିବ
ମିଠା ଲାଗୁଥିବ ଖାଲି ।।
ଆଜି ଯେ' ଫଳଟି ଦିଶୁଛି ଶାଗୁଆ
ଏମିତି ନ ଥିବ କାଲି
ରୂପ ବଦଳିବ ରଙ୍ଗ ଚହଟିବ
ଦିଶୁଥିବ ସିଏ ନାଲି ।।
ଆଜି ଯେ' ଋତୁଟି ଅଜାଡୁଛି ନିଆଁ
ଏମିତି ନ ଥିବ କାଲି
ଜଳି ଜଳି ନିଜେ ଲିଭିଯିବ ଆପେ
କୁଆଡେ ଯିବ ସେ ଚାଲି ।।
ସୁଗୁଣ ସୁବାସେ ମହକିଲେ ସଦା
ଆଦର କରିବେ ଜନେ
ଆଜି କଥା କିଛି କାଲିକି ନ ଥିବ
ଏତିକି ରଖିବା ମନେ ।।